ଭୁବନେଶ୍ୱର: ରାଜ୍ୟର ସହରଗୁଡ଼ିକୁ ସ୍ଥାୟୀ, ଭବିଷ୍ୟତମୁଖୀ ଓ ନାଗରିକ-କେନ୍ଦ୍ରିକ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ IIT କାନପୁରର ‘AIRAWAT ରିସର୍ଚ୍ଚ ଫାଉଣ୍ଡେସନ’ (ARF) ମଧ୍ୟରେ ଆଜି ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି। ଏହା ମାଧ୍ୟମରେ ସହରାଞ୍ଚଳ ପ୍ରଶାସନରେ କୃତ୍ରିମ ବୁଦ୍ଧିମତ୍ତା (AI)ର ପ୍ରୟୋଗକୁ ସୁଦୃଢ଼ କରାଯିବ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀଙ୍କ ଉପସ୍ଥିତିରେ ଏହି MoU ସ୍ୱାକ୍ଷରିତ ହୋଇଥିଲା। ସେ କହିଛନ୍ତି, ଓଡ଼ିଶା ସହରଗୁଡ଼ିକୁ କେବଳ ସ୍ମାର୍ଟ ନୁହେଁ, ବରଂ ସମ୍ବେଦନଶୀଳ ଓ ସମାବେଶୀ କରିବାକୁ ପ୍ରତିବଦ୍ଧ। AI ସହାୟତାରେ ସହରୀୟ ସେବା ପ୍ରଦାନ ବ୍ୟବସ୍ଥାକୁ ଉନ୍ନତ କରିବା ସହ ତଥ୍ୟାଧାରିତ ନିଷ୍ପତ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରାଯିବ।

AIRAWAT ରିସର୍ଚ୍ଚ ଫାଉଣ୍ଡେସନର ସିଇଓ ଅମର ନାଥ କହିଛନ୍ତି ଯେ, ସରକାର ଓ ଗବେଷଣା ପ୍ରତିଷ୍ଠାନଙ୍କ ମଧ୍ୟରେ ଏଭଳି ସହଯୋଗ ଦ୍ୱାରା ନାଗରିକ ଆବଶ୍ୟକତା ଅନୁଯାୟୀ AI ଆଧାରିତ ସମାଧାନ ବିକାଶ କରାଯାଇପାରିବ। ARF ବିଭାଗର AI ଇନୋଭେସନ୍ ପାର୍ଟନର ଭାବେ କାମ କରିବା ସହ ବୈଷୟିକ ସହାୟତା ଯୋଗାଇବ।

ଏହି ସହଭାଗିତା ଅନୁସାରେ ନଗର ଉନ୍ନୟନ ବିଭାଗରେ ଏକ ସ୍ୱତନ୍ତ୍ର AI-PMU ଗଠନ କରାଯିବ, ଯାହା ସମସ୍ତ AI ପ୍ରକଳ୍ପର ସମନ୍ୱୟ କରିବ। ରାଜ୍ୟ ପାଇଁ ଏକ ଦୀର୍ଘମିଆଦି AI ରୋଡମ୍ୟାପ୍ ପ୍ରସ୍ତୁତ ହେବ ଏବଂ ପୌରସଂସ୍ଥାଗୁଡ଼ିକରେ ବୈଷୟିକ ପରିବର୍ତ୍ତନକୁ ଆଣିବାରେ ଗୁରୁତ୍ୱ ଦିଆଯିବ। ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ AIର ନୈତିକ ଓ ସ୍ୱଚ୍ଛ ବ୍ୟବହାର ପାଇଁ ବିଶେଷ ପ୍ରଶିକ୍ଷଣ ମଧ୍ୟ ଦିଆଯିବ।

ଏହି ପ୍ରକ୍ରିୟାକୁ ଗତି ଦେବାରେ ଡ଼ଃ ସୁବ୍ରତ ବିଶ୍ୱାଳଙ୍କ ନେତୃତ୍ୱରେ ‘eGov’ ଫାଉଣ୍ଡେସନ୍‌ ମୁଖ୍ୟ ଭୂମିକା ନେଇଛି। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ପଦାଧିକାରୀ ଓ eGov ଟିମ୍ ସଦସ୍ୟମାନେ ଉପସ୍ଥିତ ଥିଲେ।