ଭୁବନେଶ୍ବର: ରାଜ୍ୟ ସରକାର ପୁଣିଥରେ ଆଇଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି। ଗତ ୫ ତାରିଖରେ ବଡ଼ ପରିବର୍ତ୍ତନ ପରେ ଆଜି ପୁଣି କିଛି ଅଧିକାରୀଙ୍କ ଦାୟିତ୍ବରେ ସଂଶୋଧନ କରାଯାଇଛି।
ନୂଆ ନିର୍ଦ୍ଦେଶ ଅନୁସାରେ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ଭୂପେନ୍ଦ୍ର ସିଂହ ପୁନିଆଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବରୁ କୃଷି ବିଭାଗ ସଚିବ ସଚିନ ରାମଚନ୍ଦ୍ର ଯାଦବଙ୍କୁ ଦିଆଯାଇଥିବା କ୍ରୀଡ଼ା ବିଭାଗର ଅତିରିକ୍ତ ଦାୟିତ୍ବକୁ ବାତିଲ କରାଯାଇଛି।
ସେହିପରି, ଏମ୍ଏସ୍ଏମ୍ଇ ବିଭାଗ ସଚିବ ଡି. ପ୍ରଶାନ୍ତ କୁମାର ରେଡ୍ଡୀଙ୍କୁ ଇଡ୍କୋ (IDCO)ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେ ଏହି ପଦବୀରେ ଅତିରିକ୍ତ ଦାୟିତ୍ବ ନେବେ।
ନିକଟରେ ବିଡିଏ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ରଶ୍ମିତା ପଣ୍ଡାଙ୍କ ବଦଳି ଆଦେଶକୁ ବାତିଲ କରି ତାଙ୍କୁ ଏମ୍ଏସ୍ଏମ୍ଇ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ସହିତ ଓରସାକ୍ (ORSAC)ର ସିଇଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ସୁରେନ୍ଦ୍ର କୁମାର ମୀନାଙ୍କୁ ସିଏମ୍ଜିଆଇ (CMGI)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ଶିଳ୍ପ ବିଭାଗ ନିର୍ଦ୍ଦେଶକ ଆବୋଲି ସୁନିଲ ନରଭଣେଙ୍କୁ ଇପିକଲ୍ (IPICOL)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ସେ ପୂର୍ବଭଳି ଓଏସ୍ଆଇସି (OSIC) ଓ ଓଏସ୍ଏଫ୍ସି (OSFC)ର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟରତ ରହିବେ।





