ନୂଆଦିଲ୍ଲୀ, ୬ ଅକ୍ଟୋବର (ବ୍ୟୁରୋ): ସର୍ବୋଚ୍ଚ ନ୍ୟାୟାଳୟରେ ଓଡିଶା ସରକାରଙ୍କ ମାମଲା ପରିଚାଳନା ପାଇଁ ନୂତନ ଆଇନଜୀବୀ ପ୍ୟାନେଲ ଘୋଷଣା ହୋଇଛି। ମୋଟ ୬୯ ଜଣ ଆଇନଜୀବୀଙ୍କୁ ଏହି ପ୍ୟାନେଲରେ ସାମିଲ କରାଯାଇଛି, ଯେଉଁଥିରୁ ୧୮ ଜଣ ଓଡିଆ ଆଇନଜୀବୀ। ରାଜ୍ୟରେ ମୋହନ ଚରଣ ମାଝୀ ସରକାର ଗଠନ ପରେ ୧୬ ମାସ ଅନ୍ତରେ ଏହି ପ୍ୟାନେଲର ପୁନର୍ଗଠନ ହୋଇଛି।
ପ୍ୟାନେଲରେ ୨୧ ଜଣ ବରିଷ୍ଠ ଆଇନଜୀବୀ, ୨୮ ଜଣ ଆଡଭୋକେଟ-ଅନ-ରେକର୍ଡ ଏବଂ ୨୦ ଜଣ ଆର୍ଗୁଇଂ କାଉନସିଲ୍ ରହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଇତିହାସରେ ଏହା ପ୍ରଥମ ଥର ଯେ ଓଡିଶା ସରକାର ଏତେ ବଡ଼ ଆଇନଜୀବୀ ଦଳ ଘୋଷଣା କରିଛି।
ମାମଲା ପରିଚାଳନା ସୁବିଧାଜନକ କରିବା ପାଇଁ ଆଟର୍ଣି ଜେନେରାଲ ଆର ଭେଙ୍କଟରମଣି, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସହିତ ୮ ଜଣ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ ବରିଷ୍ଠ ଆଇନଜୀବୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।
ଓଡିଆ ବରିଷ୍ଠ ଆଇନଜୀବୀମାନଙ୍କ ମଧ୍ୟରେ ରାଜଦୀପା ବେହୁରା, ଅଶୋକ ପାଣିଗ୍ରାହୀ ଏବଂ ସଞ୍ଜୟ ପୋଦାର ସ୍ଥାନ ପାଇଛନ୍ତି। ସେହିପରି ଆଡଭୋକେଟ-ଅନ-ରେକର୍ଡ ତାଲିକାରେ ସମାପିକା ବିଶ୍ୱାଳ, ପ୍ରସନ୍ନଜିତ ମହାପାତ୍ର, ମେରୁସାଗର ସାମନ୍ତରାୟ, ଶିବାଶିଷ ମିଶ୍ର, ହିତେନ୍ଦ୍ର ନାଥ ରଥ, ଶୋଭନ ମିଶ୍ର, ଅଞ୍ଜୁମାନ ତ୍ରିପାଠୀ, ମୃଣମୟୀ ସାହୁ, ତେଜ୍ୱସୀ ପ୍ରଧାନ, ଶ୍ରୀସତ୍ୟ ମହାନ୍ତି, ପ୍ରଚେତା କର ଓ ପ୍ରକାଶ ରଞ୍ଜନ ନାୟକ ଅଛନ୍ତି।
ଆର୍ଗୁଇଂ କାଉନସିଲ୍ ତାଲିକାରେ ପ୍ରଭାତୀ ନାୟକ ମିଶ୍ର, ନଭଞ୍ଜୟ ମହାପାତ୍ର ଓ ସୌମ୍ୟଜିତ ପାଣି ସ୍ଥାନ ପାଇଛନ୍ତି। ପୂର୍ବରୁ ଥିବା ପ୍ୟାନେଲଭୁକ୍ତ ଆଇନଜୀବୀମାନଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ବୋଲି ରାଜ୍ୟ ଆଇନ ବିଭାଗ ସୂଚନା ଜାରି କରିଛି।