ଭୁବନେଶ୍ୱର, ୧୯ ସେପ୍ଟେମ୍ବର: ଓଡ଼ିଶା ସରକାର ଶିକ୍ଷକଙ୍କୁ ଛାଡ଼ି, ଅନ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବଦଳି ଓ ନିଯୁକ୍ତି ସମ୍ପର୍କିତ ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଅନୁସାରେ, ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ୟରେ ବଦଳି ପ୍ରକ୍ରିୟା ସମ୍ପନ୍ନ ହେବ।

ନୂଆ ନୀତି ଅନୁସାରେ, କାର୍ମିକଙ୍କୁ ସମ୍ଭବତଃ ନିଜ ଜିଲ୍ଲାରେ ନିଯୁକ୍ତି ଦିଆଯିବ ନାହିଁ। ଜିଲ୍ଲା କ୍ୟାଡରର ଅଧିକାରୀ/କର୍ମଚାରୀମାନେ ଅତି କମରେ ୩ ବର୍ଷ ଏକ ସ୍ଥାନରେ ରହିବା ପରେ ବଦଳି ପାଇଁ ଯୋଗ୍ୟ ହେବେ ଏବଂ ୬ ବର୍ଷରୁ ଅଧିକ ସମୟ ସେହି ସ୍ଥାନରେ ରହିପାରିବେନି।

କେବିକେ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ୫ ବର୍ଷ କାର୍ଯ୍ୟରତ ଅଧିକାରୀମାନେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ। ଅନ୍ୟପକ୍ଷରେ, ୧୦ ବର୍ଷ ଅନ୍ୟ ଜିଲ୍ଲାରେ କାମ କରିଥିବା ଅଧିକାରୀମାନେ ଏହି ଅସୁବିଧାପ୍ରଧାନ ଜିଲ୍ଲାରେ ନିଯୁକ୍ତ ହେବେ।

ସ୍ୱାମୀ-ସ୍ତ୍ରୀ ଉଭୟ ସରକାରୀ କର୍ମଚାରୀ ଥିଲେ ସେମାନଙ୍କୁ ନିକଟସ୍ଥ ଅଞ୍ଚଳରେ ପୋଷ୍ଟିଂ ଦିଆଯିବ। ଅବସର ପୂର୍ବରୁ ୨ ବର୍ଷ ବାକି ଥିବା କର୍ମଚାରୀଙ୍କୁ ବର୍ତ୍ତମାନ ସ୍ଥାନରେ କିମ୍ବା ନିଜ ଜିଲ୍ଲାରେ ପୋଷ୍ଟିଂ ରଖାଯାଇପାରିବ।

ବଦଳି ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଭାଗୀୟ କମିଟି ଗଠନ କରାଯିବାକୁ ସରକାର ନିଷ୍ପତ୍ତି ନେଇଛି।