ଭୁବନେଶ୍ୱର: କଟକ ବଡ଼ ଡାକ୍ତରଖାନାରେ ଘଟିଥିବା ଅଗ୍ନିକାଣ୍ଡ ଓ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ରାଜ୍ୟରେ ରାଜନୈତିକ ଉତ୍ତେଜନା ବଢ଼ିଛି। ମିଳିତ ବିରୋଧୀ ଦଳର ଏକ ୪୯ ଜଣିଆ ପ୍ରତିନିଧି ଦଳ ଲୋକଭବନରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ସ୍ମାରକପତ୍ର ପ୍ରଦାନ କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଦାବି କରିଛନ୍ତି।
ଏହି ପ୍ରତିନିଧି ଦଳରେ ବିଜୁ ଜନତା ଦଳ, କଂଗ୍ରେସ, ସିପିଆଇ(ଏମ), ସିପିଆଇ, ସିପିଆଇ(ଏମଏଲ) ଲିବରେସନ, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଏନସିପି (ଶରଦ ପୱାର), ସମତା କ୍ରାନ୍ତି ଦଳ ଓ ଆରଜେଡିର ନେତାମାନେ ଅଂଶଗ୍ରହଣ କରିଥିଲେ।
ସ୍ମାରକପତ୍ରରେ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ, ଏହି ଅଗ୍ନିକାଣ୍ଡରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଏକ “ବ୍ୟବସ୍ଥାଗତ ଅବହେଳା”ର ପରିଣାମ। ଏହା ପାଇଁ ଦାୟୀ ସମସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବା ସହ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଗିରଫ କରିବାକୁ ଦାବି ହୋଇଛି।
ଏହା ସହ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ନେତୃତ୍ୱରେ ନ୍ୟାୟିକ ତଦନ୍ତ କରି ଶୀଘ୍ର ରିପୋର୍ଟ ପ୍ରକାଶ କରିବାକୁ ମଧ୍ୟ ବିରୋଧୀ ଦଳ ଦାବି କରିଛି। ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା ଆର୍ଥିକ ସହାୟତା ଓ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବାକୁ ମଧ୍ୟ ଦାବି ହୋଇଛି।
ଆହତମାନଙ୍କୁ ମାଗଣା ଓ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ସହ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ତୁରନ୍ତ ଫାୟାର ସେଫ୍ଟି ଅଡିଟ୍ କରିବା ପାଇଁ ବିରୋଧୀମାନେ ଜୋର ଦେଇଛନ୍ତି।
ଏହି ଘଟଣାକୁ ନେଇ ଆଗାମୀ ଦିନରେ ରାଜ୍ୟରେ ରାଜନୈତିକ ତାପମାତ୍ରା ଆହୁରି ବଢ଼ିବାର ସମ୍ଭାବନା ରହିଛି।





