ଭୁବନେଶ୍ୱର: ରାଜ୍ୟ ସରକାର ତିଆରି କରୁଥିବା ଆଗାମୀ ବଜେଟକୁ ସତ୍ୟ ସାର୍ଥକ ଅର୍ଥରେ “ଲୋକଙ୍କ ବଜେଟ” ଭାବେ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ରାକ୍ ବଜେଟ ପରାମର୍ଶ ସଭାରେ ଯୋଗ ଦେଇ ସେ କହିଲେ, ସରକାରଙ୍କ ପାଇଁ ଲୋକମତ ସର୍ବୋପରି ଏବଂ ସେହି ମତାମତକୁ ଆଧାର କରି ବଜେଟ ରୂପରେଖା ତିଆରି ହେଉଛି।
ଲୋକସେବା ଭବନ କନ୍ଭେନସନ୍ ହଲ୍ରେ ଆୟୋଜିତ ପ୍ରାକ୍ ବଜେଟ ପରାମର୍ଶ ବୈଠକରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ନାଗରିକ ସମାଜ ପ୍ରତିନିଧି ଓ ଉଦ୍ୟୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ସେ କହିଲେ, ବଜେଟ ପ୍ରସ୍ତୁତି ପ୍ରକ୍ରିୟାକୁ ସଚିବାଳୟ ସୀମାରୁ ବାହାର କରି ସିଧାସଳଖ ଭାବେ ଲୋକଙ୍କ ମତାମତ ସଂଗ୍ରହ କରାଯାଉଛି ଏବଂ ତାହାକୁ ବିଚାର କରି ବଜେଟରେ ସ୍ଥାନ ଦିଆଯାଉଛି।
ମୁଖ୍ୟମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପରି କିଛି ଯୋଜନା ଜନମତ ଆଧାରରେ ଆରମ୍ଭ ହୋଇଛି। ଆଗାମୀ ଶ୍ରୀ ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମ ଓ କଟକ–ଭୁବନେଶ୍ୱର–ପାରାଦୀପ–ପୁରୀ ଅର୍ଥନୈତିକ କରିଡର ପରିକଳ୍ପନା ମଧ୍ୟ ଲୋକମତରୁ ଆସିଥିବା ପ୍ରସ୍ତାବ ବୋଲି ସେ ଉଲ୍ଲେଖ କରିଥିଲେ। ନୀତି ଓ କାର୍ଯ୍ୟକ୍ରମରେ ମଧ୍ୟ ଲୋକମତ ଆଧାରରେ ପରିବର୍ତ୍ତନ ଆଣାଯାଉଛି ବୋଲି ସେ କହିଛନ୍ତି।
ସେ ଆହୁରି କହିଲେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଶିଳ୍ପାୟନ, ରୋଜଗାର ସୃଷ୍ଟି ଓ ଆର୍ଥିକ ବିକାଶକୁ ଗତି ମିଳିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକକଳ୍ୟାଣମୂଳକ ପଦକ୍ଷେପ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିଛି। ୨୦୨୬–୨୭ କେନ୍ଦ୍ର ବଜେଟରେ ମଧ୍ୟ ଓଡ଼ିଶା ପାଇଁ ବିଭିନ୍ନ ପଦକ୍ଷେପ ଘୋଷିତ ହୋଇଥିବା ସେ ଉଲ୍ଲେଖ କରିଛନ୍ତି।
ବଜେଟ ପ୍ରସ୍ତୁତି ପାଇଁ ୱେବ୍ ପୋର୍ଟାଲ, ଇ-ମେଲ୍, ଏସ୍ଏମ୍ଏସ୍ ଓ ୱାଟସଅପ୍ ମାଧ୍ୟମରେ ବ୍ୟାପକ ମତାମତ ଆସୁଥିବା ବେଳେ ସମସ୍ତ ପରାମର୍ଶକୁ ରେକର୍ଡ କରି ବିଭାଗୀୟ ସ୍ତରରେ ବିଚାର କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥ ସଚିବ, ବ୍ୟବସାୟୀ ସଂଘ, ଯୁବ ଉଦ୍ୟୋଗୀ ସଂଘ, NGO ପ୍ରତିନିଧି ଓ ବିଭିନ୍ନ କ୍ଷେତ୍ରର ପ୍ରାୟ ୫୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।





