ଭୁବନେଶ୍ୱର, 24 ସେପ୍ଟେମ୍ବର: ଆମେରିକା ସରକାରଙ୍କ ନୂଆ ଟାରିଫ ନୀତିର କାରଣରେ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ବଡ଼ ପ୍ରଭାବ ପଡ଼ିଛି। ବିଧାନସଭାରେ ବୁଧବାର ଏହି ସୂଚନା ଦେଇଛନ୍ତି ରାଜ୍ୟର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ମନ୍ତ୍ରୀଙ୍କ କଥା ଅନୁଯାୟୀ, 2024-25 ମସିହାରେ ଓଡ଼ିଶାରେ ପ୍ରାୟ 11.92 ଲକ୍ଷ ମେଟ୍ରିକ ଟନ୍‌ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନ ହୋଇଥିଲା, ଯେଉଁଥିରୁ 1.45 ଲକ୍ଷ ମେଟ୍ରିକ ଟନ୍‌ ହେଉଛି କେବଳ ଚିଙ୍ଗୁଡ଼ି। ଓଡ଼ିଶାର ସାମୁଦ୍ରିକ ରପ୍ତାନୀର 24.5% ଭାଗ ଆମେରିକାକୁ ପଠାଯାଏ, କିନ୍ତୁ ନୂଆ ଟାରିଫ ନିୟମ ଯୋଗୁଁ ଏହି ବଜାର ବହୁତ ଚ୍ୟାଲେଞ୍ଜିଂ ହୋଇଯାଇଛି।

ରାଜ୍ୟର 62ଟି ପ୍ରକ୍ରିୟାକରଣ ୟୁନିଟ୍ ସିଧାସଳଖ ପ୍ରଭାବିତ ହୋଇଛି, ସେଥିପାଇଁ ପ୍ରାୟ 25,000 ଚିଙ୍ଗୁଡ଼ି ଚାଷୀ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି।

ମନ୍ତ୍ରୀ ମଲ୍ଲିକ କହିଛନ୍ତି ଯେ, କେନ୍ଦ୍ର ସରକାର ଏବେ ଜାପାନ, ଦକ୍ଷିଣ କୋରିଆ, ରୁଷିଆ, ଅଷ୍ଟ୍ରେଲିଆ ଓ ଦକ୍ଷିଣ-ପୂର୍ବ ଏସିଆ ଭଳି ବିକଳ୍ପ ବଜାର ଉପରେ ଧ୍ୟାନ କେନ୍ଦ୍ରିତ କରୁଛି।