ଭୁବନେଶ୍ୱର — ଓଡ଼ିଶାକୁ ଭାରତର ନୂଆ ଫାର୍ମା ହବ୍ରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ନେଇଛି। ଏହି ପାଇଁ ରାଜ୍ୟରେ ବିଭିନ୍ନ ଦେଶୀ-ବିଦେଶୀ ଔଷଧ କମ୍ପାନୀଙ୍କୁ ଆକର୍ଷଣ କରିବାକୁ ଏକ “ଫାର୍ମା କନକ୍ଲେଭ” ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ୭୯ତମ ସ୍ଵାଧୀନତା ଦିବସ ଅବସରରେ କହିଛନ୍ତି ଯେ, ଏହି ଉଦ୍ୟମ ଫଳରେ ୨.୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ।
ଫାର୍ମା କନକ୍ଲେଭରେ ଦେଶ ଓ ବିଦେଶର ପ୍ରମୁଖ କମ୍ପାନୀ, ନୀତି ନିର୍ମାତା ଓ ନିବେଶକମାନେ ସାମିଲ ହେବେ। ଏହା ଫାର୍ମା ଏକ୍ସିକ୍ୟୁଟିଭମାନଙ୍କ ପାଇଁ ନେଟୱାର୍କିଂ, ଗବେଷଣା, ନିବେଶ ଏବଂ ଉତ୍ପାଦନ କ୍ଷେତ୍ରରେ ଏକ ସୁବିଧାଜନକ ପ୍ଲାଟଫର୍ମ ହେବ। ରାଜ୍ୟରେ ବଡ଼ ବଡ଼ ଫାର୍ମା ସଂସ୍ଥାଙ୍କ ପ୍ରବେଶ ସହିତ ଔଷଧ ଉତ୍ପାଦନ ଓ ଗବେଷଣା କ୍ଷମତା ଦୃଢ଼ ହେବ।
ସ୍ବାସ୍ଥ୍ୟ ସେବାରେ ବଡ଼ ପଦକ୍ଷେପ
ମୁଖ୍ୟମନ୍ତ୍ରୀ ତାଙ୍କ ସ୍ଵାଧୀନତା ଦିବସ ଭାଷଣରେ କହିଛନ୍ତି, ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାକୁ ଏକୀକୃତ କରି, ରାଜ୍ୟର ୮୨%ରୁ ଅଧିକ ଲୋକଙ୍କୁ ସ୍ବାସ୍ଥ୍ୟ ବୀମା ଲାଭ ଯୋଗାଯାଇଛି। ବ୍ରହ୍ମପୁର ମେଡିକାଲ କଲେଜକୁ AIIMS-ପ୍ଲସ ମାନକରେ ଉନ୍ନୀତ କରିବା ସହିତ କଟକ SCB ଓ ବ୍ରହ୍ମପୁର MKCGକୁ ବିଶ୍ୱମାନର ସୁବିଧା ସହ ପୁନଃଗଠନ କରାଯାଉଛି। ତାସହିତ ତିନୋଟି ବୃହତ ମେଡିକାଲ କଲେଜରେ ୨,୨୫୦ ବଜେଟ ବେଡ ସୃଷ୍ଟିର ଯୋଜନା ମଧ୍ୟ ଘୋଷିତ ହୋଇଛି।
ସ୍ଵାଧୀନତା ଦିବସ ପାଳନ
୭୯ତମ ସ୍ଵାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରି, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ ଏବଂ ପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କ ସହିତ ସେମାନଙ୍କୁ ମିଠା ବାଣ୍ଟିଥିଲେ। ପରେ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଅନୁଷ୍ଠାନରେ ପତାକା ଉତ୍ତୋଳନ କରି, ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ସ୍ଵାଧୀନତା ପରବର୍ତ୍ତୀ ଭାରତରେ ଏକ ନୂଆ ଅଧ୍ୟାୟ ସୃଷ୍ଟିର କଥା କହିଥିଲେ।