ଭୁବନେଶ୍ୱର, ୨୧ ଅଗଷ୍ଟ: ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ୨୦୩୬ରେ “ସମୃଦ୍ଧ ଓଡ଼ିଶା” ଗଠନ ପାଇଁ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ସୁଧାର ଅତ୍ୟାବଶ୍ୟକ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ୧,୬୦,୩୧୯ଟି ପଦବୀ ଥିବା ସହିତ ଅଧିକ ୩୯,୩୬୬ ନୂତନ ପଦବୀ ସୃଷ୍ଟି କରାଯିବ। ସେହିପରି, ୨୦୨୫ ଡିସେମ୍ବର ପୂର୍ବରୁ ୫,୦୬୭ ପଦବୀ ଖାଲି ହେବାରୁ, ଆସନ୍ତା ୩ ବର୍ଷ ମଧ୍ୟରେ ସର୍ବମୋଟ ୪୪,୪୩୩ଟି ପଦବୀ ପୂରଣ ହେବ। ପ୍ରତିବର୍ଷ ପ୍ରାୟ ୧୫,୦୦୦ ଶିକ୍ଷକ ନିଯୁକ୍ତି କରାଯିବ।
ବୈଠକରେ ଅନ୍ୟାନ୍ୟ ମୁଖ୍ୟ ନିଷ୍ପତ୍ତି:
- ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚମାଧ୍ୟମିକ ପରିଷଦକୁ ମିଶାଇ ଏକୀକୃତ ବୋର୍ଡ ଗଠନ।
- ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ।
- ହଷ୍ଟେଲରେ ପ୍ରତ୍ୟେକ ୩୦୦ ପିଲାଙ୍କ ପାଇଁ ANM/ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି।
- ଆଦିବାସୀ ପିଲାଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ଓ କୋରାପୁଟରେ ବହୁଭାଷୀ କେନ୍ଦ୍ର ସ୍ଥାପନ।
- SCERTକୁ NCERT ମାନଙ୍କୁ ଅନୁସରଣ କରି ବିକାଶ କରାଯିବ।
ବୈଠକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।