ନୂଆଦିଲ୍ଲୀ: ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ବଡ଼ ସମର୍ଥନ ଦେଇଛି। ବିଭିନ୍ନ କେନ୍ଦ୍ର ପ୍ରାୟୋଜିତ ଯୋଜନା ଅଧୀନରେ ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ ୧୯୯ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ହୀରାକୁଦ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୯୯.୯୦ କୋଟି ଏବଂ ସାତକୋଶିଆ ପ୍ରକଳ୍ପ ପାଇଁ ୯୯.୯୯ କୋଟି ଟଙ୍କା ଅନୁମୋଦିତ କରାଯାଇଛି। ଏଥିରୁ ବର୍ତ୍ତମାନ ସୁଦ୍ଧା ୧୩୧.୯୨ କୋଟି ଟଙ୍କା ଜାରି ହୋଇସାରିଛି।

ଶେଖାୱତ ଆହୁରି କହିଛନ୍ତି ଯେ, ପର୍ଯ୍ୟଟନ ସ୍ଥଳୀ ବିକାଶର ମୂଳ ଦାୟିତ୍ୱ ରାଜ୍ୟ ସରକାରଙ୍କ ଥିଲେ ମଧ୍ୟ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ, ପ୍ରସାଦ (PRASAD), ଏବଂ ଏସିଏଟିଆଇଡି ପରି ଯୋଜନାମାନଙ୍କ ମାଧ୍ୟମରେ ରାଜ୍ୟମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଆସୁଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କ ଦ୍ୱାରା ପ୍ରସ୍ତାବିତ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଆର୍ଥିକ ସାହାଯ୍ୟ ମଧ୍ୟ ଦେଇଥାଏ।

ମନ୍ତ୍ରଣାଳୟ ସମୟସମୟରେ ଏହି ପ୍ରକଳ୍ପମାନଙ୍କର ଅଗ୍ରଗତି ସମୀକ୍ଷା କରି ନିଷ୍ପାଦନକୁ ନିଶ୍ଚିତ କରୁଥାଏ।