ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ ଖେତ୍ରରେ ଏବେ ଦ୍ରୁତ ଗତିରେ ବିକାଶ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ–୨୦୨୫ (Odisha Adventure Tourism Guidelines-2025)କୁ ଅନୁମୋଦନ ମିଳିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ପର୍ଯ୍ୟଟନ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’ ଭାବଧାରା ସହ ଦେଶ ଓ ବିଦେଶର ପର୍ଯ୍ୟଟକମାନେ ଓଡ଼ିଶାକୁ ଗନ୍ତବ୍ୟସ୍ଥଳୀ ଭାବେ ଚିନ୍ତା କରିବେ ।”
ଏହି ନିତି ଅନୁଯାୟୀ, ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଦୁଃସାହସିକ ପର୍ଯ୍ୟଟନ ସ୍ଥଳଗୁଡିକର ମ୍ୟାପିଙ୍ଗ୍ କରି ବିକାଶ କରାଯିବ। ଏଥିରେ ସାତକୋଶିଆ ଘାଟୀରେ ରାଫ୍ଟିଙ୍ଗ୍ ଓ ହିରାକୁଦ ଆଣିକଟ ଉପରେ ହଟ୍ ଏୟାର ବେଲୁନ୍ ଯାତ୍ରା ଯୋଗ ହେବ। ଏହା ଓଡ଼ିଶା ପର୍ଯ୍ୟଟନରେ ଏକ ନୂଆ ଆକର୍ଷଣ ହିସାବରେ ସ୍ଥାନ ପାଇବ।
ଏହି ଦୁଃସାହସିକ ପର୍ଯ୍ୟଟନ ପ୍ରକଳ୍ପଗୁଡିକ ଦ୍ୱାରା ଯୁବଶକ୍ତି ପାଇଁ ବ୍ୟାପକ ତାଲିମ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଜଳ, ଥଳ ଓ ଆକାଶ ମାର୍ଗରେ ଅନୁଷ୍ଠିତ ହେବାକୁ ଯାଉଥିବା ଦୁଃସାହସିକ କାର୍ଯ୍ୟକଳାପ ପାଇଁ ଯୁବମାନେ ପ୍ରମାଣପତ୍ର ପାଇବେ।
ଘରୋଇ କ୍ଷେତ୍ରର ଅଂଶଗ୍ରହଣ ପାଇଁ ‘Go Adventure’ ପୋର୍ଟାଲ ଜରିଆରେ ସହଯୋଗ ତିଆରି କରାଯିବ। ଓଡ଼ିଶା ପର୍ଯ୍ୟଟନ ନୀତି–୨୦୨୨ ଅନୁଯାୟୀ ଘରୋଇ ନିବେଶକମାନେ ମଧ୍ୟ ଆକର୍ଷଣୀୟ ପ୍ରୋତ୍ସାହନ ଲାଭ କରିପାରିବେ।
ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପର୍ଯ୍ୟଟନ ବିଭାଗର କମିଶନର କମ ସଚିବ ବଲୱନ୍ତ ସିଂହ ଉପସ୍ଥିତ ଥିଲେ।