ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ମୁଖ୍ୟ ପଦକ୍ଷେପ ଭାବେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬ ଲାଗୁ ହୋଇଛି। ବିଧାନସଭାରେ ପାରିତ ହେବା ପରେ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍ପାଟିଙ୍କ ସ୍ୱୀକୃତି ପରେ ଏହି ଅଧିନିୟମ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି।

ଚଳିତ ବର୍ଷ ମାର୍ଚ୍ଚ ୩୧ରେ ବିଧାନସଭାରେ ବିସ୍ତୃତ ଆଲୋଚନା ପରେ ବିଧେୟକ ପାରିତ ହୋଇଥିଲା। ଏହା ଲାଗୁ ହେବା ସହ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା ସ୍ପଷ୍ଟ ଭାବେ କାର୍ଯ୍ୟକାରୀ ହେବ।

ଏହି ଅଧିନିୟମ ଅନୁସାରେ ଏଣିକି ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ଏକକ ଇଉନିଟ୍‌ ଭାବେ ଧରି ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST) ଓ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ (SEBC) ଶିକ୍ଷକଙ୍କୁ ସଂରକ୍ଷଣ ଦିଆଯିବ। ପୂର୍ବରୁ ଚାଲୁଥିବା ବିଭାଗଭିତ୍ତିକ ସଂରକ୍ଷଣ ପ୍ରଣାଳୀକୁ ଏହି ନୂତନ ବ୍ୟବସ୍ଥା ଦ୍ୱାରା ଉଚ୍ଛେଦ କରାଯାଇଛି।

ଏହାର ଫଳରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ସିଧାସଳଖ ନିଯୁକ୍ତି ସମୟରେ ବିଭିନ୍ନ ସଂରକ୍ଷିତ ବର୍ଗଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଅଧିନିୟମ ଲାଗୁ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇ ଏହାକୁ ଉଚ୍ଚଶିକ୍ଷାର ବିକାଶ ଓ ସମାନ ଅବସର ସୃଷ୍ଟିରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତ ପ୍ରକାଶ କରିଛନ୍ତି।