ଭୁବନେଶ୍ୱର: ଓଡ଼ିଶା ରାଜ୍ୟକୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଏଗ୍ରିକଲଚର ଟୁଡେ ଗ୍ରୁପ୍ ତରଫରୁ ‘ଶ୍ରେଷ୍ଠ କୃଷି ରାଜ୍ୟ’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ ନୂଆଦିଲ୍ଲୀରେ ଆୟୋଜିତ ୧୬ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭରେ ଦିଆଯାଇଥିଲା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ, ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଏବଂ ପୁରସ୍କାର କମିଟି ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ପି. ସଥାଶିବମ୍ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି, “ଏହି ପୁରସ୍କାର ଓଡ଼ିଶାର ଚାଷୀମାନଙ୍କ ନବସୃଜନ ଓ ଅଶ୍ରମର ଫଳ। ଏହି ସମ୍ମାନ ଓଡ଼ିଶା ରାଜ୍ୟର ଅନ୍ନଦାତାଙ୍କୁ ଉତ୍ସର୍ଗ କରୁଛି।”
କୃଷିରେ ଓଡ଼ିଶାର ଅଗ୍ରଗତି
୨୦୨୪-୨୫ ଆର୍ଥିକ ବର୍ଷରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଓଡ଼ିଶାର ସର୍ବମୋଟ GSVA ରେ ୧୯% ଅବଦାନ ରଖିଛି, ଯାହା ଗତ ୫ ବର୍ଷରେ ଜାତୀୟ ହାରକୁ ୩.୩% ଅତିକ୍ରମ କରିଛି। ଏହି କ୍ଷେତ୍ରରେ ମୋଟ ଶ୍ରମଶକ୍ତିର ୪୯% ନିଯୁକ୍ତ ଅଛନ୍ତି।
ଚାଉଳ ଉତ୍ପାଦନରେ ଓଡ଼ିଶା ୨୦୨୩-୨୪ରେ ୧୧୫.୩୯ ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ କରି ଭାରତୀୟ ଖାଦ୍ୟ ନିଗମ (FCI)କୁ ଚତୁର୍ଥ ସର୍ବାଧିକ ଚାଉଳ ଯୋଗାଣକାରୀ ରାଜ୍ୟ ଭାବରେ ଦୂଢ଼ କରିଛି।
ନିବେଶ, ପ୍ରଯୁକ୍ତି ଓ ରପ୍ତାନି ଉନ୍ନତି
ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମୀଣ ଅଞ୍ଚଳକୁ ଧ୍ୟାନ ଦେଇ ଭବିଷ୍ୟତ ନୀତି, ନିବେଶ ଓ ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି ଓଡ଼ିଶାକୁ ଏହି ମିଳିଥିବା ସଫଳତା ମିଳିଛି। ଗତ ବର୍ଷ ସର୍ବାଧିକ ଟ୍ରାକ୍ଟର ବିକ୍ରୟ ଓଡ଼ିଶାରେ ହୋଇଥିଲା। ଏହାସହିତ ୨୦୨୪-୨୫ ମସିହାରେ କୃଷି ଶକ୍ତି ଇନପୁଟ୍ ୨.୬୦ କି.ୱାଟ୍/ହେକ୍ଟରରେ ପହଞ୍ଚିଛି, ଯାହା ୨୦୩୭ ସୁଦ୍ଧା ୩.୫ କି.ୱାଟ୍ ହେବା ଲକ୍ଷ୍ୟ ରହିଛି।
ରାଷ୍ଟ୍ରୀୟ ଓ ଆନ୍ତର୍ଜାତୀୟ ପ୍ରତିଷ୍ଠା
ଓଡ଼ିଶା ୧୨୧.୮୨ ମେଟ୍ରିକ ଟନ୍ ଉଦ୍ୟାନ ଉତ୍ପାଦନ କରି ୟୁଏଇ, କତାର, ଇଂଲଣ୍ଡ, ଫ୍ରାନ୍ସ, ଇଟାଲୀ ଭଳି ଦେଶକୁ ରପ୍ତାନି କରୁଛି। ଫଳ ଉତ୍ପାଦନରେ ଦ୍ୱିତୀୟ, କନ୍ଦମୂଳ ଓ ଛତୁ ଉତ୍ପାଦନରେ ପ୍ରଥମ, ବାଇଗଣ ଓ ବନ୍ଧାକୋବିରେ ଦ୍ୱିତୀୟ ସ୍ଥାନ ଅଛି।
ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ ମଡେଲ୍
ସ୍ଥାୟୀ ଓ ସମାବେଶୀ କୃଷି ବିକାଶ ପାଇଁ ଓଡ଼ିଶାର ଚେଷ୍ଟା ଅନ୍ୟ ରାଜ୍ୟ ପାଇଁ ଏକ ଅନୁକରଣୀୟ ମାନଦଣ୍ଡ ହୋଇପାରିଛି।