ଭୁବନେଶ୍ୱର (୧୮ ଜୁଲାଇ): ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ମହିଳା ଛାତ୍ରୀଙ୍କ ସୁରକ୍ଷା ନେଇ ହେଉଥିବା ଘଟଣା ମଧ୍ୟରେ ଓଡ଼ିଶା ସରକାର ଗଭୀର ଭାବେ ଚିନ୍ତିତ ହୋଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ବାଲେଶ୍ବର ଫକିର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏକ ଛାତ୍ରୀ ଆତ୍ମହତ୍ୟା ଘଟଣା ଓ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅନ୍ୟ ଏକ ମହିଳା ଛାତ୍ରୀଙ୍କ ସହ ବିବାହ ପ୍ରତିଶ୍ରୁତି ରେ ଶାରୀରିକ ସଂପର୍କ ଘଟଣା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ, କଲେଜ ପରିସରରେ ମହିଳା ସହାୟତା ନମ୍ବର ୧୮୧କୁ ସ୍ପଷ୍ଟ ଭାବେ ପ୍ରଦର୍ଶନ କରାଯିବା ଦରକାର। ଏହା ସହିତ, କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ ନିବାରଣ ଅଧିନିୟମ (POSH Act, 2013) ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ କଡାକଡ଼ିରେ ପାଳନ କରାଯିବ।

ଏହି ଅଭିଯାନ ଅନ୍ତର୍ଗତରେ ସମସ୍ତ ଶିକ୍ଷାନୁଷ୍ଠାନରେ ସଚେତନତା କର୍ମଶାଳା ଆୟୋଜିତ ହେବା ନିର୍ଦ୍ଦେଶ ମଧ୍ୟ ମିଳିଛି, ଯାହାରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଏବଂ ସମ୍ପୃକ୍ତ ଅଧିକାରୀମାନେ ଯୋଗଦେବେ। ସେମାନେ POSH Act ଅନୁଯାୟୀ ଶପଥ ଗ୍ରହଣ କରିବେ ଓ ଏହା ପାଳନ ପାଇଁ ବିବେକାନୁସାରେ କାମ କରିବେ।

କର୍ମଶାଳା ବିଷୟରେ ସବିସ୍ତୃତ ବିବରଣୀ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ଦେବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।