ଭୁବନେଶ୍ୱର: ଗତ ଡିସେମ୍ବର ୨୬ ତାରିଖରୁ ରାଜ୍ୟରେ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍‌ସା) ପକ୍ଷରୁ ଏନେଇ ଔପଚାରିକ ଘୋଷଣା କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ସହ ହୋଇଥିବା ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଓମ୍‌ସା କହିଛି ଯେ, ସରକାର ଆଜି ସନ୍ଧ୍ୟା ସୁଦ୍ଧା ସଂଘର ଦୁଇଟି ମୁଖ୍ୟ ଦାବି ପୂରଣ ସମ୍ପର୍କରେ ନୋଟିଫିକେସନ୍ ଜାରି କରିବେ। ଅନ୍ୟାନ୍ୟ ଦାବିଗୁଡ଼ିକୁ ମଧ୍ୟ ପର୍ଯ୍ୟାୟକ୍ରମେ ପୂରଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ, ଯଦି ସରକାର ପକ୍ଷରୁ ଅବହେଳା ହୁଏ, ତେବେ ପୁଣି ଆନ୍ଦୋଳନ ଆରମ୍ଭ ହେବ ବୋଲି ଓମ୍‌ସା ଚେତାବନୀ ଦେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଆଲୋଚନା ହୋଇଛି ଏବଂ ଓମ୍‌ସା ଆନ୍ଦୋଳନ ସ୍ଥଗିତ କରିଥିବାରୁ ସଂଘର କର୍ମକର୍ତ୍ତାମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସଂଘ ଉଠାଇଥିବା ସମସ୍ତ ଦାବି ଉପରେ ସରକାର ସକାରାତ୍ମକ ଭାବେ ବିଚାର କରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ଡାକ୍ତରମାନେ ସାରା ରାଜ୍ୟରେ ଦୁଇ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ଏସ୍‌ମା ଲାଗୁ ହେବା ସତ୍ତ୍ୱେ ମଧ୍ୟ ଆନ୍ଦୋଳନ ଚାଲିଥିବାରୁ ସାଧାରଣ ରୋଗୀମାନେ ଭାରି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଚିକିତ୍ସା, ପରୀକ୍ଷା ଓ ଓପିଡି ସେବାରେ ବିଳମ୍ବ ହେବାରୁ ସରକାରୀ ଡାକ୍ତରଖାନାଗୁଡ଼ିକରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।

୧୦ ଦଫା ଦାବିକୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲେ ମଧ୍ୟ, ଦାବି ପୂରଣ ନ ହେଲେ ପୁଣି କଠୋର ପଦକ୍ଷେପ ନିଆଯିବ ବୋଲି ଓମ୍‌ସା ପକ୍ଷରୁ ସ୍ପଷ୍ଟ କରାଯାଇଛି।