ଭୁବନେଶ୍ୱର: ଓଡ଼ିଶାରେ ତମ୍ବାଖୁ ଓ ପାନମସଲା ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲାଗୁ ହୋଇଛି ବୋଲି ଚାଲିଥିବା ଚର୍ଚ୍ଚା ଉପରେ ସରକାର ସ୍ପଷ୍ଟୀକରଣ ଜାରି କରିଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ ଓଡ଼ିଶାରେ କେବଳ ଜର୍ଦା ମିଶ୍ରିତ ଗୁଟଖା ଉପରେ ନିଷେଧାଜ୍ଞା ଲାଗୁ ହୋଇଛି, ସାଧାରଣ ତମାକୁ ଓ ପାନମସଲା ଉପରେ ସମ୍ପୁର୍ଣ୍ନ ବ୍ୟାନ୍ ନାହିଁ।

ସମ୍ପ୍ରତି ଜାରି ହୋଇଥିବା ଅଧିସୂଚନା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଥିଲା। ଏହି ପରିସ୍ଥିତିକୁ ନେଇ ସରକାର ପକ୍ଷରୁ ପୁନଃ ସ୍ପଷ୍ଟ କରାଯାଇଛି ଯେ ଜର୍ଦା ମିଶିଥିବା ତମାକୁ ଉତ୍ପାଦଗୁଡ଼ିକ ମାତ୍ର ଆଇନଗତ କାର୍ଯ୍ୟାନୁଷ୍ଠାନର ଅଧୀନରେ ରହିବେ।
ଜର୍ଦାଯୁକ୍ତ ଉତ୍ପାଦ ଉପରେ କଡା ପଦକ୍ଷେପ
ସରକାରଙ୍କ କହିବା ଅନୁଯାୟୀ, ଯେଉଁ ତମାକୁ ଉତ୍ପାଦରେ ଜର୍ଦା ମିଶାଯାଇଥାଏ, ସେଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ସବୁଠୁ ଅଧିକ ହାନିକାରକ। ଏହା ମୁଖ କ୍ୟାନ୍ସର ସହିତ ଅନ୍ୟାନ୍ୟ ଗୁରୁତର ରୋଗର ମୁଖ୍ୟ କାରଣ ଭାବେ ଚିହ୍ନଟ ହୋଇଛି। ସେହି କାରଣରୁ ଏହି ଉତ୍ପାଦ ଉପରେ ନିଷେଧ ଲାଗୁ କରାଯାଇଛି।
ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିଆଯାଇଛି ନିଷ୍ପତ୍ତି
ରାଜ୍ୟ ସରକାର କହିଛନ୍ତି ଯେ ଜର୍ଦାଯୁକ୍ତ ତମାକୁ ସେବନ କରିବା ଫଳରେ ମୁହଁ, ଗଳା ଓ ଦାନ୍ତ ସମ୍ପର୍କିତ ରୋଗ ଦ୍ରୁତ ହାରରେ ବଢ଼ୁଛି। ଏହାକୁ ନଜରରେ ରଖି ସରକାର ଏହି କଡା ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି।
ଦୋକାନୀ ଓ ସାଧାରଣ ଲୋକଙ୍କୁ ଅନୁରୋଧ
ପ୍ରଶାସନ ପକ୍ଷରୁ ଦୋକାନୀମାନଙ୍କୁ ନିୟମକୁ ସଠିକ୍ ଭାବେ ବୁଝି ପାଳନ କରିବାକୁ ଅନୁରୋଧ କରାଯାଇଛି। ସାଧାରଣ ଲୋକଙ୍କୁ ଗୁଜବ ଉପରେ ଭରସା ନକରି କେବଳ ସରକାରୀ ସୂଚନାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି।
ସରକାର ସଚେତନ କରାଇଛନ୍ତି ଯେ ଯଦି କୌଣସି ବ୍ୟକ୍ତି ଜର୍ଦାଯୁକ୍ତ ତମାକୁ ବିକ୍ରି, ସଂରକ୍ଷଣ କିମ୍ବା ସପ୍ଲାୟ କରୁଥିବାବେଳେ ଧରାପଡ଼ନ୍ତି, ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କଡା ପଦକ୍ଷେପ ଗ୍ରହଣ କରାଯିବ।





