ଭୁବନେଶ୍ୱର: ଭାରତ ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ୍ (NGHM) ଅଧୀନରେ ଓଡ଼ିଶାର ପାରାଦୀପ ବନ୍ଦର ସହ ମିଶି ମୋଟ ତିନିଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (GHH) ଭାବରେ ଚିହ୍ନଟ କରିଛନ୍ତି। ଅନ୍ୟ ଦୁଇଟି ବନ୍ଦର ଗୁଜରାଟ ଓ ତାମିଲନାଡୁରେ ଅବସ୍ଥିତ ଅଛି।
ଏହି ପଦକ୍ଷେପ ଦେଶକୁ ସବୁଜ ହାଇଡ୍ରୋଜେନ୍ ଓ ଏହାର ଡେରିଭେଟିଭ୍ସ୍ର ଉତ୍ପାଦନ, ବ୍ୟବହାର ଓ ରପ୍ତାନିରେ ବିଶ୍ୱ ମଞ୍ଚରେ ଅଗ୍ରସର କରିବା ଲକ୍ଷ୍ୟରେ ନିଆଯାଇଛି। NGHM ଦ୍ୱାରା ଗଢ଼ି ଉଠିବା ଏହି ହବ୍ଗୁଡ଼ିକ ଦେଶର ସ୍ୱଚ୍ଛ ଶକ୍ତି ଅର୍ଥନୀତିକୁ ଶକ୍ତିଶାଳୀ କରିବ ଓ ନୂତନ ନିବେଶ ସୃଷ୍ଟି କରିବ।
ସରକାର ଜଣାଇଛନ୍ତି ଯେ ଦୀର୍ଘ ଦୂରତା ହାଇଡ୍ରୋଜେନ୍ ପରିବହନ ସମସ୍ୟାକୁ ମଧ୍ୟ ଦୃଷ୍ଟିରେ ରଖି, ଏକ କ୍ଲଷ୍ଟର ଆଧାରିତ ବିକାଶ ରଣନୀତି ଗ୍ରହଣ କରାଯିବ। ଏହି ପଦ୍ଧତି ପ୍ରାରମ୍ଭିକ ପର୍ଯ୍ୟାୟର ପ୍ରକଳ୍ପଗୁଡ଼ିକର କାର୍ଯ୍ୟକ୍ଷମତା ବଢ଼ାଇ ଓ ଅର୍ଥନୈତିକ ସମନ୍ୱୟକୁ ସୁଦୃଢ଼ କରିବ।
ସବୁଜ ହାଇଡ୍ରୋଜେନ୍ ହବ୍ ଭାବରେ ପାରାଦୀପ ବନ୍ଦର ସ୍ୱଚ୍ଛ ଶକ୍ତି ଓ ନବସୃଜନରେ ନୂତନ ଅଧ୍ୟାୟ ଲେଖିବ। ଏହା ଶିଳ୍ପ ଅଂଶଗ୍ରହଣକୁ ବଢ଼ାଇବ, ସବୁଜ ନିବେଶକୁ ଆକର୍ଷିବ ଓ ଦେଶର ଶକ୍ତି ସ୍ୱାଧୀନତା ଏବଂ ୨୦୭୦ ସୁଦ୍ଧା ନେଟ୍-ଶୂନ ନିର୍ଗମନ ଲକ୍ଷ୍ୟ ସାଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।