ଜମନକିରା: ସମ୍ବଲପୁର ଜିଲ୍ଲାରେ ବେଆଇନ ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକିବା ଦିଗରେ ପୁଲିସ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଏସପି ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା ବିଶେଷ ଧରପଗଡ ଅଭିଯାନ ଅନ୍ତର୍ଗତ ଜମନକିରା ପୁଲିସ ଗଞ୍ଜେଇ ଚୋରାଚାଲାଣ ବେଳେ ଏକ କାରକୁ ଅଟକାଇ ୨୫ କିଲୋ ୪୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୪ ଜଣ ପେଶାଦାର ମାଫିଆଙ୍କୁ ଗିରଫ କରିଛି।

ରବିବାର ଜମନକିରା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁଚିଣ୍ଡା ଏସଡିପିଓ ପ୍ରଦୀପ୍ତ କୁମାର ଦାଶ ସୂଚନା ଦେଇ କହିଛନ୍ତି ଯେ, ଗତ ୧୭ ତାରିଖ ଅପରାହ୍ନ ପ୍ରାୟ ଦେଢ଼ଟା ସମୟରେ ଜମନକିରା ଥାନା ଆଇଆଇସି ପଦ୍ମାଳୟା ସାହୁଙ୍କ ନିର୍ଦ୍ଦେଶରେ ଏସଆଇ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସ ଟିମ୍ ଏନଏଚ୍–୫୩ର ଚେପଟାମ୍ବ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କିତ ସୂଚନା ମିଳିବା ପରେ ଏକ ସିଲଭର ରଙ୍ଗର କାର (ଓଡ଼ି–୦୨ଭି–୦୯୧୯)କୁ ଅଟକାଯାଇଥିଲା।

ଯାଞ୍ଚ ବେଳେ କାର ମଧ୍ୟରେ ଥିବା ଦୁଇଟି ପ୍ଲାଷ୍ଟିକ ବ୍ୟାଗରୁ ମୋଟ ୨୫ କିଲୋ ୪୫୦ ଗ୍ରାମ ଗଞ୍ଜେଇ ଉଦ୍ଧାର କରାଯାଇଥିଲା। ମାଜିଷ୍ଟ୍ରେଟ ଓ ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ଓଜନ କରାଯାଇଥିବା ବେଳେ ଗୋଟିଏ ବ୍ୟାଗରେ ୧୬ କିଲୋ ୫୦୦ ଗ୍ରାମ ଓ ଅନ୍ୟଟିରେ ୮ କିଲୋ ୯୫୦ ଗ୍ରାମ ଗଞ୍ଜେଇ ଥିବା ସ୍ପଷ୍ଟ ହୋଇଥିଲା।

କାରଟିକୁ ଦୀପକ ପାଣ୍ଡେ ଚଳାଉଥିବା ବେଳେ ଘଟଣାସ୍ଥଳରୁ ସମ୍ବଲପୁର କ୍ଷେତରାଜପୁରର ରୋଶନ ସିଂ (୨୪), ତିୱାରୀଗଳିର ଦୀପକ ପାଣ୍ଡେ (୨୨), ମୋତିଝରନର ମହମ୍ମଦ ଦାନିସ (୨୦) ଓ ଦୁର୍ଗାପାଲିର ଉତ୍ତମ ବଗର୍ତ୍ତୀ (୩୦)ଙ୍କୁ ପୁଲିସ ଅଟକାଇ ଥାନାକୁ ନେଇଥିଲା।

ପୁଲିସ ଜେରା ବେଳେ ଅଭିଯୁକ୍ତମାନେ କୋଲକାତାରୁ ଦେବଗଡ ଓ ସମ୍ବଲପୁର ଅଞ୍ଚଳକୁ ବଡ଼ରମା ଘାଟି ଦେଇ ଗଞ୍ଜେଇ ଚୋରାଚାଲାଣ କରୁଥିବା ସ୍ୱୀକାର କରିଛନ୍ତି। ଏହି ଘଟଣାରେ ଚୋରାଚାଲାଣରେ ବ୍ୟବହୃତ କାର ସହ ୨୦୦ଟି ୫୦୦ ଟଙ୍କିଆ ନୋଟ୍ (ମୋଟ ୧ ଲକ୍ଷ ଟଙ୍କା), ବିଭିନ୍ନ କମ୍ପାନୀର ସିମ୍ କାର୍ଡ ଓ ୫ଟି ଆଣ୍ଡ୍ରଏଡ ମୋବାଇଲ ମଧ୍ୟ ଜବତ କରାଯାଇଛି।

ଅଭିଯୁକ୍ତମାନେ ଅନ୍ୟ କୌଣସି ମାମଲାରେ ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ଅଧିକ ତଦନ୍ତ ଚାଲିଛି। ଏହି ଘଟଣାରେ ଜମନକିରା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏସଆଇ ସନ୍ତୋଷ ସ୍ୱାଇଁ ତଦନ୍ତର ଦାୟିତ୍ୱ ନେଇଛନ୍ତି।