ପୁରୀ:

ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀପଞ୍ଚମୀ ଓ ସରସ୍ୱତୀ ପୂଜା ଅବସରରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ରଥ ନିର୍ମାଣ ପାଇଁ ବ୍ୟବହୃତ ତିନିଟି କାଠର ବିଧିବିଧାନ ମୁତାବକ ପୂଜା କରାଯାଇଛି।

ରାଜନଅର ପକ୍ଷରୁ ଗଜପତି ମହାରାଜଙ୍କ ପ୍ରତିନିଧି ଭାବେ ଦେବୀପ୍ରସାଦ ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ପଞ୍ଚାମୃତ, ଚନ୍ଦନ, ସିନ୍ଦୂର, ଫୁଲ, ଶ୍ରୀଫଳ ଓ ମହାପ୍ରସାଦ ଅର୍ପଣ କରାଯାଇଥିଲା। ରଥ ନିର୍ମାଣ ଏକ ସୃଜନାତ୍ମକ କାର୍ଯ୍ୟ ହେଉଥିବାରୁ ମା’ ବାଗଦେବୀ ସରସ୍ୱତୀଙ୍କୁ ଆବାହନ କରାଯାଇଥିଲା। ସେହି ସହ ବରୁଣ ପୂଜା ଓ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରି ଘୋଷଯାତ୍ରା ନିର୍ବିଘ୍ନରେ ସମ୍ପନ୍ନ ହେବା ପାଇଁ ପ୍ରାର୍ଥନା କରାଯାଇଥିଲା।

ପୂଜା, ଆଳତି ଓ ପୁଷ୍ପାଞ୍ଜଳି କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ପ୍ରତୀକ ସିଂହ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ ସହ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ରଥଯାତ୍ରା ସୁଚାରୁ ଓ ନିର୍ବିଘ୍ନ ଭାବେ ସମ୍ପନ୍ନ ହେବାକୁ ସମସ୍ତେ ପ୍ରାର୍ଥନା କରିଥିଲେ।

ରଥ ସଂହିତା ଅନୁଯାୟୀ କାଠର ଆବଶ୍ୟକତା

ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ—ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୁଏ। ଗତବର୍ଷ ୪୭ ଖଣ୍ଡ କାଠ ବଳି ଥିବାରୁ ଚଳିତବର୍ଷ ୮୧୮ ଖଣ୍ଡ ରଥକାଠ ମଗାଯାଇଛି।

ଏହାମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୩ ଖଣ୍ଡ ଧଉରା ଓ ଅସନ କାଠ ନୟାଗଡ଼ ଦଶପଲ୍ଲା ରେଞ୍ଜରୁ ରଥଖଳାରେ ପହଞ୍ଚିସାରିଛି। ପର୍ଯ୍ୟାୟକ୍ରମେ ସମସ୍ତ କାଠ ପହଞ୍ଚିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ।