ଭୁବନେଶ୍ୱର/ପୁରୀ: ପୁରୀରେ ମାଟିତଳେ ଏକ ପ୍ରାଚୀନ ଐତିହ୍ୟ ନଗରୀ ଲୁଚିଥିବା ନେଇ ଚମତ୍କାରକ ତଥ୍ୟ ସାମ୍ନାକୁ ଆସିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ମିଳିଥିବା ପୁରାତନ ଅବଶେଷକୁ ଆଧାର କରି କରାଯାଇଥିବା ଜିପିଆର୍‌ (ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍) ସର୍ଭେ ରିପୋର୍ଟରେ ଏହି ଅନୁମାନକୁ ଆଉ ଜୋର ମିଳିଛି।

ରିପୋର୍ଟ ଅନୁଯାୟୀ, କେବଳ ଶ୍ରୀମନ୍ଦିର ପରିସର ନୁହେଁ, ପୁରୀ ସହରର ବିଭିନ୍ନ ସ୍ଥାନରେ ମାଟିତଳେ ପ୍ରାଚୀନ ଗୃହ, ସଂରଚନା ଓ ଐତିହ୍ୟ କୀର୍ତ୍ତିରାଜି ରହିଥିବା ସୂଚନା ମିଳିଛି। ସବୁଠାରୁ ଆଶ୍ଚର୍ୟଜନକ ତଥ୍ୟ ହେଉଛି—ଶ୍ରୀମନ୍ଦିରରୁ ସମୁଦ୍ର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଥିବା ସନ୍ଦେହ ପ୍ରକାଶ ପାଇଛି।

‘ଏରିଆ-ଏଚ୍‌’ ଅଞ୍ଚଳ, ଯାହାକୁ ଏମାର ମଠ ଅଞ୍ଚଳ ବୋଲି ଜଣାଯାଏ, ସେଠାରେ ନୃସିଂହ ମନ୍ଦିର, ବୁଢ଼ୀ ମା’ ମନ୍ଦିର ଓ ଶ୍ରୀମନ୍ଦିର ରାସ୍ତା ପାଖପାଖି ମୋଟ ୪୩ଟି ପ୍ରାଚୀନ ସଂରଚନା ଚିହ୍ନଟ ହୋଇଛି। ଏହା ସହ ମାଟି ଓ ଧାତୁର ପାତ୍ର ସହିତ ଦୈନିକ ବ୍ୟବହାରର ବସ୍ତୁମାନେ ମଧ୍ୟ ଠାବ କରାଯାଇଛି।

ଏହି ରିପୋର୍ଟରେ ସୁରକ୍ଷିତ ଭାବରେ ଖନନ କରି ସମସ୍ତ ଐତିହ୍ୟ ସମ୍ପଦକୁ ସଂରକ୍ଷଣ କରିବାକୁ ପରାମର୍ଶ ଦିଆଯାଇଛି।

ପୂର୍ବରୁ ମିଳିଥିଲା ଗଙ୍ଗବଂଶ କାଳୀନ ଅବଶେଷ

ପରିକ୍ରମା ପ୍ରକଳ୍ପ ଆରମ୍ଭ ସମୟରେ ବିନା ଜିପିଆର୍‌ ସର୍ଭେ ଖୋଳାଖୋଳି କାମ ଚାଲିଥିବା ବେଳେ ମାଟିତଳୁ ଗଙ୍ଗବଂଶ ସମୟର ସିଂହମୂର୍ତ୍ତି ଓ ପ୍ରାଚୀର ମିଳିଥିଲା। ଜେସିବି ଦ୍ୱାରା ଖୋଳାଖୋଳି ସମୟରେ କିଛି ମୂର୍ତ୍ତି କ୍ଷତିଗ୍ରସ୍ତ ହେବାରୁ ବିବାଦ ଉଦ୍ଭବ ହୋଇଥିଲା।

ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଦ୍ୱାରା ଯାଞ୍ଚ କରାଯାଇଥିବାବେଳେ, ଏହି ଅବଶେଷଗୁଡିକ ଗଙ୍ଗବଂଶ କାଳର ହେବା ସ୍ପଷ୍ଟ ହୋଇଥିଲା। ସେଥିରେ ୩୦ ଫୁଟ ଲମ୍ବା ପ୍ରାଚୀର ଓ ଏକ କୋଠରୀ ମଧ୍ୟ ଚିହ୍ନଟ ହୋଇଥିଲା।

ରିପୋର୍ଟକୁ ନେଇ ଅସ୍ପଷ୍ଟତା

ଏହି ଜିପିଆର୍‌ ସର୍ଭେ ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା ଏବଂ ଗାନ୍ଧୀନଗର ଆଇଆଇଟି ଦ୍ୱାରା ଏହା କରାଯାଇଥିଲା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ରିପୋର୍ଟ ନାପହଞ୍ଚିଥିବା କୁହାଯାଇଥିବାବେଳେ, ଅନ୍ୟପଟେ ଆଇଆଇଟି ରିପୋର୍ଟ ଦାଖଲ କରିଥିବା ଦାବି କରିଛି।

ଏହି ବିଷୟରେ ଆଇନଜୀବୀ ଦିଲ୍ଲୀପ ବରାଳ ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମାଗିଥିଲେ। ପରେ ଏହି ରିପୋର୍ଟ ତାଙ୍କ ହାତକୁ ଆସିଥିବା ସୂଚନା ମିଳିଛି। ସେ ଏହାର ଆଧାରରେ ତୁରନ୍ତ ସୁରକ୍ଷିତ ଖନନ କରି ଐତିହ୍ୟ ସଂରକ୍ଷଣ ପାଇଁ ଦାବି କରିଛନ୍ତି।

ଭବିଷ୍ୟତ ଉପରେ ପ୍ରଶ୍ନ

ଏହି ଅଞ୍ଚଳରେ ରଘୁନନ୍ଦନ ଲାଇବ୍ରେରି ନିର୍ମାଣ ପାଇଁ ଯୋଜନା ଚାଲିଥିବାବେଳେ, ମାଟିତଳେ ଥିବା ଐତିହ୍ୟର ସୁରକ୍ଷା କେମିତି ହେବ ତାହା ନେଇ ଚିନ୍ତା ବୃଦ୍ଧି ପାଇଛି। ଏହି ମାମଲା ଏବେ ସୂଚନା କମିସନରଙ୍କ ଆଦାଲତରେ ମଧ୍ୟ ଶୁଣାଣି ଅପେକ୍ଷାରେ ରହିଛି।