ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଭୟାବହ ବାତ୍ୟା ‘ମୋନ୍ଥା’ ଦ୍ୱାରା ପୂର୍ବତଟ ରେଳପଥ କ୍ଷେତ୍ର ପ୍ରଭାବିତ ହେବାର ସମ୍ଭାବନା ଥିବାରୁ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଆଜି ବରିଷ୍ଠ ରେଳ ଅଧିକାରୀମାନଙ୍କ ସହିତ ବାତ୍ୟା ପୂର୍ବ ତୟାରି ଓ ମୁକାବିଲା ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସେ ବିଶେଷ ଭାବରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତେଲଙ୍ଗାନାର ରେଳପଥ ଭିତ୍ତିଭୂମିର ସୁରକ୍ଷା ଏବଂ ଯାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ସମୀକ୍ଷା ସମୟରେ ବୈଷ୍ଣବ ସମସ୍ତ ଜୋନ ଓ ଡିଭିଜନ ଅଧିକାରୀମାନଙ୍କୁ ବାତ୍ୟା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା, ଯାତ୍ରୀ ସୁବିଧା ନିଶ୍ଚିତ କରିବା ଏବଂ ରେଳ ସେବାକୁ ସୁବ୍ୟବସ୍ଥିତ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

୨୪ ଘଣ୍ଟିଆ ନିରୀକ୍ଷଣ ଏବଂ ଜରୁରୀ ପ୍ରସ୍ତୁତି

ରେଳମନ୍ତ୍ରୀ ଡିଭିଜନସ୍ତରୀୟ ଜରୁରୀକାଳୀନ କକ୍ଷକୁ ସକ୍ରିୟ ରଖି ୨୪ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା କରିବାକୁ ଆଦେଶ ଦେଇଛନ୍ତି। ବିଜୟୱାଡା, ବିଶାଖାପାଟଣା ଏବଂ ଗୁଣ୍ଟୁର ଡିଭିଜନରେ ଯନ୍ତ୍ରାଂଶ, ଉପକରଣ ଓ ପ୍ରୟାପ୍ତ ସଂଖ୍ୟକ କର୍ମଚାରୀଙ୍କୁ ପୁନରୁଦ୍ଧାର କାମରେ ପ୍ରସ୍ତୁତ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହିତ ପୂର୍ବତଟ, ଦକ୍ଷିଣ ତଟ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳ ଜୋନ ଅଧିକାରୀମାନଙ୍କୁ ଜରୁରୀ ସମ୍ବଳ ଯୋଗାଣ ଓ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ମିଳିଛି।

ଯାତ୍ରୀ ସହାୟତା ପାଇଁ ହେଲ୍ପଲାଇନ୍‌ ନମ୍ବର

ବାତ୍ୟା ସମୟରେ ଯାତ୍ରୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି —

  • ଭୁବନେଶ୍ୱର: 8114382371
  • ଖୋର୍ଦ୍ଧା ରୋଡ୍‌: 9668978727
  • ବ୍ରହ୍ମପୁର: 9668978725
  • ପଲାସା: 9668978724

ରେଳ ବିଭାଗ ପକ୍ଷରୁ ଯାତ୍ରୀ ନିରାପତ୍ତା ଓ ସୁବିଧା ନେଇ ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯାଇଛି।