ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ପରେ ବର୍ଷାର ପରିମାଣ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ବର୍ତ୍ତମାନ ଝାଡ଼ଖଣ୍ଡ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହେବା ଅନୁମାନ କରାଯାଇଛି। ଖାସକରି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଭାରି ବର୍ଷା ହୋଇପାରେ। କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି।
୧୧ ଓ ୧୨ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି। ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାପକ ଭାବେ ଏହି ଧରଣର ବର୍ଷା ହେବା ସମ୍ଭାବନା ରହିଛି। ବିଶେଷତଃ ୧୩ ତାରିଖରେ ସୁନ୍ଦରଗଡ଼, କେଉଁଝର ଓ ମୟୁରଭଞ୍ଜ ଜିଲ୍ଲା ଅଧିକ ପ୍ରଭାବିତ ହେବାର ଅନୁମାନ ରହିଛି।
୧୫ ତାରିଖରେ ବର୍ଷା ଥିଲେ ମଧ୍ୟ ଏହା ପରେ ବର୍ଷାର ପରିମାଣ ହ୍ରାସ ପାଇବ। ମୌସୁମୀ ପ୍ରଭାବ ଫଳରେ ୧ ଜୁନରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ଚଳିତ ମାସରେ ବି ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।