ପୁରୀ: Jagannath Templeର ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ଅଳଙ୍କାର ଗଣତିରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହୋଇଥିବା ବେଳେ ପ୍ରାୟ ୮୦ ପ୍ରତିଶତ ଗଣତି ସମ୍ପୂର୍ଣ୍ଣ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ Aravind Padhee ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁଯାୟୀ, କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୂଲ୍ୟବାନ ସୁବର୍ଣ୍ଣ ଓ ରତ୍ନ ଅଳଙ୍କାରର ଗଣତି କରାଯାଇଛି। ଗଣତି କାର୍ଯ୍ୟରେ ନିୟୋଜିତ ସଦସ୍ୟମାନେ ମଧ୍ୟାହ୍ନ ସମୟରେ ମନ୍ଦିର ପରିସରକୁ ପ୍ରବେଶ କରି ପ୍ରାୟ ୬ ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲୁ ରଖିଥିଲେ। ପ୍ରଥମ ଦିନରେ ମହାପ୍ରଭୁଙ୍କ ଦୈନନ୍ଦିନ ବ୍ୟବହୃତ ଅଳଙ୍କାରକୁ ଗଣତି କରାଯାଇଥିଲା।

ଗଣତି ସମୟରେ ଅଳଙ୍କାରଗୁଡ଼ିକର ୩ଡି ମ୍ୟାପିଂ, ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ କରାଯାଇଛି, ଯାହା ଭବିଷ୍ୟତ ପାଇଁ ଡିଜିଟାଲ ରେକର୍ଡ ଭାବେ ସଂରକ୍ଷିତ ହେବ।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଚଳନ୍ତି ଭଣ୍ଡାର ପରେ ବାହାର ଭଣ୍ଡାର ଓ ଶେଷରେ ଭିତର ରତ୍ନଭଣ୍ଡାରର ଗଣତି କରାଯିବ। ସମଗ୍ର ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଏସ୍‌ଓପି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ନିର୍ଦ୍ଦେଶ ଅନୁସାରେ କଡ଼ାକଡ଼ି ଭାବେ ପାଳନ ହେଉଛି।

ଗଣତି ପରେ ଅଳଙ୍କାରଗୁଡ଼ିକୁ ୧୯୭୮ ମସିହାର ତାଲିକା ସହ ମେଳକ କରାଯିବ। ସେଥିପାଇଁ ଓଜନ ମଧ୍ୟ କରାଯିବ ଏବଂ ଚିହ୍ନଟ ପାଇଁ ଜେମୋଲୋଜିଷ୍ଟମାନେ ନିୟୋଜିତ ହେବେ। ପରବର୍ତ୍ତୀ ପର୍ଯ୍ୟାୟରେ ଅଳଙ୍କାରଗୁଡ଼ିକୁ ସୁରକ୍ଷିତ ଭାବେ ଗୁଡ଼ାଇ ସିନ୍ଦୁକରେ ରଖାଯିବ।

ଉଲ୍ଲେଖନୀୟ ଯେ, ଏହି ପୂର୍ଣ୍ଣାଙ୍ଗ ଗଣତିମଣତି ପ୍ରକ୍ରିୟା ଶେଷ ହେବା ପରେ ସମ୍ପୂର୍ଣ୍ଣ ତଥ୍ୟ ସରକାର ପକ୍ଷରୁ ଜଣାଇ ଦିଆଯିବ।