ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଦ୍ୱନ୍ଦ ଓ ଆଶଙ୍କାର ଅବସାନ ଘଟିଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି।
ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ବୁଧବାର ଦିନ ମାହେନ୍ଦ୍ରବେଳା ଅନୁଯାୟୀ ଦିନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଗଣତିମଣତି କାର୍ଯ୍ୟରେ ଦୁଇଟି ସ୍ୱତନ୍ତ୍ର ଟିମ୍ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ, ତିନୋଟି ପର୍ଯ୍ୟାୟରେ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି କରାଯିବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର, ପରେ ବାହାର ରତ୍ନଭଣ୍ଡାର ଓ ଶେଷ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ଅଳଙ୍କାର ଯାଞ୍ଚ ଓ ଗଣନା କରାଯିବ।
ଗଣତିମଣତି ସମୟରେ ବାହାର କାଠ ଦର୍ଶନ ବ୍ୟବସ୍ଥା ଜାରି ରହିବ। ଶନିବାର, ରବିବାର ସହ ଯାନୀଯାତ୍ରା ଓ ଅଧିକ ନୀତିକାନ୍ତି ଥିବା ଦିନରେ ଏହି ପ୍ରକ୍ରିୟା କରାଯିବ ନାହିଁ। ସମଗ୍ର ଗଣତିମଣତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ଡିଜିଟାଇଜେସନ ବ୍ୟବସ୍ଥା ଅବଲମ୍ବନ କରାଯିବ।
ଏହି ସମ୍ପର୍କରେ ଆଇନଗତ ପ୍ରକ୍ରିୟା ଅନୁଯାୟୀ କୋର୍ଟକୁ ମଧ୍ୟ ଅବଗତ କରାଯିବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।





