ପୁରୀ: ଭବ୍ୟ ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ପୂଜିତ ହେଉଥିଲେ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟଗତ ତଥ୍ୟ ଉନ୍ମୋଚିତ ହୋଇଛି। ଶ୍ରୀମନ୍ଦିର ନୁହେଁ, ବରଂ ମୁକ୍ତିମଣ୍ଡପ ସଂଲଗ୍ନ ପ୍ରାଚୀନ ନୃସିଂହ ମନ୍ଦିରରେ ସେତେବେଳେ ମହାପ୍ରଭୁ ବିରାଜିତ ଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି। ଏହା ସହ ଶ୍ରୀମନ୍ଦିରର ଆଦ୍ୟ ନିର୍ମାତା ଭାବେ କର୍ମକାର କୁଳର ଶିଳ୍ପୀ ‘ପଲ୍ଲ’ଙ୍କ ନାମ ଆଗକୁ ଆସିଛି।

ଐତିହ୍ୟ ଗବେଷକ ଦୀପକ କୁମାର ନାୟକ ନୃସିଂହ ମନ୍ଦିରରେ ଥିବା ସଂସ୍କୃତ ଭାଷା ଓ ନାଗରୀ ଲିପିରେ ଖୋଦିତ ୫ ଧାଡ଼ିଆ ଅଭିଲେଖର ଅଧ୍ୟୟନ କରି ଏହି ଗବେଷଣାତ୍ମକ ତଥ୍ୟ ଉନ୍ମୋଚନ କରିଛନ୍ତି। ଅଭିଲେଖର ପ୍ରଥମ ଓ ଦ୍ୱିତୀୟ ଧାଡ଼ିରେ ଉଲ୍ଲେଖିତ ‘ନବପୁରୁଷୋତ୍ତମଃ ନିଳୟସ୍ୟ କର୍ମକର କୁଳପୁତ୍ର ପଲ୍ଲ…’ ଶବ୍ଦାବଳୀରୁ ଏହା ସ୍ପଷ୍ଟ ହୁଏ ଯେ, ‘ପଲ୍ଲ’ ନାମକ ଏକ ଶିଳ୍ପୀ ମହାପ୍ରଭୁଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗବେଷକଙ୍କ କହିବାନୁସାରେ, ୧୧୯୮ ଖ୍ରୀଷ୍ଟାବ୍ଦର ଏକ ତାମ୍ରଶାସନ ଆଧାରରେ ଗଙ୍ଗବଂଶୀ ସମ୍ରାଟ ଅନନ୍ତବର୍ମନ ଚୋଡ଼ଗଙ୍ଗଦେବଙ୍କ ଦ୍ୱାରା ଶ୍ରୀମନ୍ଦିରର ବିଶାଳ ନିର୍ମାଣ ସମ୍ଭବ ହୋଇଥିବା କଥା ସିଦ୍ଧ ହୋଇଛି। ତେବେ ମାଦଳାପାଞ୍ଜି ଓ ଜନଶ୍ରୁତି ଆଧାରରେ ପୂର୍ବରୁ ଅନଙ୍ଗଭୀମ ଦେବଙ୍କୁ ମନ୍ଦିର ନିର୍ମାତା ବୋଲି ଧାରଣା ଥିଲା।

୧୯୮୯ ମସିହାରେ ଏଏସ୍‌ଆଇ ପକ୍ଷରୁ ନୃସିଂହ ମନ୍ଦିରର ମରାମତି ସମୟରେ ମିଳିଥିବା ଏହି ପ୍ରାଚୀନ ଅଭିଲେଖଗୁଡ଼ିକୁ ବିଶିଷ୍ଟ ଐତିହାସିକ ତଥା ଲିପିତତ୍ତ୍ୱବିତ୍‌ ସ୍ୱର୍ଗତ ସତ୍ୟନାରାୟଣ ରାଜଗୁରୁ ପାଠୋଦ୍ଧାର କରିଥିଲେ। ସେ ତାଙ୍କ ଗ୍ରନ୍ଥ ‘Inscriptions of the Temple of Puri and Origin of Shri Purushottam Jagannath’ ମାଧ୍ୟମରେ ଶ୍ରୀମନ୍ଦିର ପୂର୍ବରୁ ନୃସିଂହ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପୂଜା ହେଉଥିବା କଥା ଉଲ୍ଲେଖ କରିଥିଲେ।

ଅଭିଲେଖ ଅନୁସାରେ, ଶିଳ୍ପୀ ପଲ୍ଲ ଅଖଣ୍ଡ ଦୀପ ଜାଳିବା ପାଇଁ ୫ଟି ବଡ଼ ପାତ୍ର ତୈଳ ଓ ୭୦ ପୁଟି ଧାନ ଦାନ କରିଥିବା କଥା ମଧ୍ୟ ଉଲ୍ଲେଖ ଅଛି। ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ସନ୍ତାନ ଭାବେ ପରିଚିତ କର୍ମକାର ବଂଶର ପୁତ୍ର ଥିବାରୁ ପଲ୍ଲଙ୍କୁ ଏହି ମହାନ ଦାୟିତ୍ୱ ଦିଆଯାଇଥିଲା ବୋଲି ଗବେଷକ କହିଛନ୍ତି।

ଶ୍ରୀ ନାୟକ ମତ ପ୍ରକାଶ କରି କହିଛନ୍ତି, ପାଠ୍ୟପୁସ୍ତକରେ ଶ୍ରୀମନ୍ଦିର ନିର୍ମାତା ଭାବେ ଅନନ୍ତବର୍ମନ ଚୋଡ଼ଗଙ୍ଗଦେବଙ୍କ ନାମ ସହ ଶିଳ୍ପୀ ‘ପଲ୍ଲ’ଙ୍କ ନାମ ମଧ୍ୟ ସାମିଲ କରାଯିବା ଉଚିତ। ଏହାଦ୍ୱାରା ଭବ୍ୟ ଶ୍ରୀମନ୍ଦିର ଗଢ଼ିଥିବା ଏହି ମହାନ ଶିଳ୍ପୀଙ୍କ ଅବଦାନ ଇତିହାସରେ ଯଥାର୍ଥ ସମ୍ମାନ ପାଇବ ବୋଲି ସେ ମତ ପ୍ରକାଶ କରିଛନ୍ତି।