ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇ ୩୦ ହଜାର କୋଟି ଟଙ୍କାର ନିବେଶ ସହ ଜଡିତ ୨୦ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
ଚଳିତ ମାସ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଜିଲ୍ଲାର ଲପଙ୍ଗାରେ ହିଣ୍ଡାଲ୍କୋ ପକ୍ଷରୁ ସ୍ଥାପିତ ଭାରତର ପ୍ରଥମ ଏଫ୍ଆର୍ବି (FRB) ୟୁନିଟ୍କୁ ଉଦ୍ଘାଟନ କରିବେ। ସେହି ଦିନେ ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା–୨୦୨୬’ କାର୍ଯ୍ୟକ୍ରମର ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି।
ସିଆଇଆଇ (CII) ସହଯୋଗରେ ଆୟୋଜିତ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’ର ମୁଖ୍ୟ ଲକ୍ଷ୍ୟ ହେଉଛି ପଶ୍ଚିମ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ନୂତନ ନିବେଶ ଆକର୍ଷଣ କରିବା ଏବଂ ରୋଜଗାର ସୁଯୋଗ ବୃଦ୍ଧି କରିବା।
ସମ୍ପ୍ରତି ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ ଓ କୋଲକାତାରେ ଆୟୋଜିତ ନିବେଶକ ସମ୍ମିଳନୀରେ ଯୋଗଦେଇ ସମୁଦାୟ ୧.୬୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆଣିଥିବା ଜଣାପଡ଼ିଛି। ଏହା ସହ ରାଜ୍ୟ ମଧ୍ୟରେ ଶିଳ୍ପାୟନକୁ ଆହୁରି ଗତି ଦେବା ପାଇଁ ସରକାର ସକ୍ରିୟ ଭାବେ ପଦକ୍ଷେପ ନେଉଛନ୍ତି ଏବଂ ସମସ୍ତ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଉପରେ ଜୋର ଦିଆଯାଉଛି।
ବିଜେପି ସରକାର ଶ୍ରୀ ମାଝୀଙ୍କ ନେତୃତ୍ୱରେ ଶାସନ ଭାର ଗ୍ରହଣ କରିବା ପରେ ପଶ୍ଚିମ ଓଡ଼ିଶା ପାଇଁ ୧,୨୮,୪୭୨ କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟାନ୍ବୟନ ହେଲେ ପ୍ରାୟ ୬୯,୩୩୮ ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି।
ଏହି ସନ୍ଦର୍ଭରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି ଯେ ଓଡ଼ିଶାର ଶିଳ୍ପ ରୂପାନ୍ତରଣରେ ପଶ୍ଚିମ ଓଡ଼ିଶା ଅଗ୍ରଣୀ ଭୂମିକା ନେଉଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅଭିବୃଦ୍ଧିର ଲାଭକୁ ରାଜ୍ୟର ସମସ୍ତ ଅଞ୍ଚଳରେ ପହଞ୍ଚାଇବା ଆମର ପ୍ରୟାସ ବୋଲି ସେ କହିଛନ୍ତି।





