ଭୁବନେଶ୍ୱର: ଯଦି ଆପଣ ଆପଣଙ୍କ ପିଲାଙ୍କୁ ସୈନିକ ସ୍କୁଲରେ ପଢ଼ାଇବାକୁ ଚାହୁଁଛନ୍ତି, ତେବେ ଏହା ହେଉଛି ସୁଯୋଗ। ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ ଭୁବନେଶ୍ୱର ସୈନିକ ସ୍କୁଲରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଅକ୍ଟୋବର ୧୦ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଚାଲିବ। ଆବେଦନ ସଂଶୋଧନ ସୁଯୋଗ ନଭେମ୍ବର ୨ରୁ ୪ ମଧ୍ୟରେ ମିଳିବ।
ପରୀକ୍ଷା ଶୁଳ୍କ ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା ଜମା କରିବା ଆବଶ୍ୟକ। ସାଧାରଣ, ଓବିସି ଓ ପ୍ରତିରକ୍ଷା କର୍ମଚାରୀଙ୍କ ପିଲାଙ୍କ ପାଇଁ ଶୁଳ୍କ ଧାର୍ଯ୍ୟ ହେଉଛି ₹850, ଯେତେବେଳେ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ଏହା ₹700 ହେବ।
ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ଆସନ୍ତା ଜାନୁଆରୀ ୨୦୨୬ ମାସରେ ଏହି ପରୀକ୍ଷା ଆୟୋଜିତ ହେବ। ପରୀକ୍ଷା ତାରିଖ ଓ ଆଡମିଟ୍ କାର୍ଡ ଡାଉନଲୋଡ୍ ସମ୍ପର୍କରେ ସୂଚନା ଶୀଘ୍ର NTA ୱେବସାଇଟରେ ଦିଆଯିବ।
ଷଷ୍ଠ ଶ୍ରେଣୀ ପାଇଁ ପରୀକ୍ଷା ଇଂରାଜୀ, ହିନ୍ଦୀ କିମ୍ବା ଅନ୍ୟ ମାନ୍ୟତାପ୍ରାପ୍ତ ଆଞ୍ଚଳିକ ଭାଷାରେ ହେବ। ଭାଷା, ଗଣିତ, ବୌଦ୍ଧିକ ଜ୍ଞାନ ଓ ସାଧାରଣ ଜ୍ଞାନ ମିଶି ମୋଟ ୩୦୦ ମାର୍କର ପରୀକ୍ଷା ହେବ।
ପରୀକ୍ଷା କେନ୍ଦ୍ର ଏବଂ ଆସନ ସଂଖ୍ୟା:
ଓଡ଼ିଶାର ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା ହେବ। ଏହିବର୍ଷ ମୋଟ ୯୦ ଆସନ ରହିଛି — ୮୦ ଝିଅ ଓ ୧୦ ଝିଅଙ୍କ ପାଇଁ।
ବୟସ ସୀମା ଏବଂ ସୁବିଧା:
ଆବେଦକଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ, ଅର୍ଥାତ ୧ ଏପ୍ରିଲ ୨୦୧୪ ରୁ ୩୧ ମାର୍ଚ୍ଚ ୨୦୧୬ ମଧ୍ୟରେ ଜନ୍ମ ହୋଇଥିବା ଦରକାର। ସୈନିକ ସ୍କୁଲରେ ଆଧୁନିକ ପାଠପଢ଼ା ସୁବିଧା ସହିତ ଛାତ୍ରବୃତ୍ତି ବ୍ୟବସ୍ଥା ମଧ୍ୟ ରହିଛି।
ଓଡ଼ିଶା ସରକାର ତରଫରୁ NDA କିମ୍ବା INAରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ₹2 ଲକ୍ଷର ଏକକାଳୀନ ପ୍ରୋତ୍ସାହନ ରାଶି ମିଳିବ। ଏପର୍ଯ୍ୟନ୍ତ ଭୁବନେଶ୍ୱର ସୈନିକ ସ୍କୁଲରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଭାରତୀୟ ସେନାବାହିନୀରେ ଯୋଗ ଦେଇଛନ୍ତି।
ଇଚ୍ଛୁକ ପ୍ରାର୍ଥୀ ଓ ଅଭିଭାବକମାନେ ଏନଟିଏ ୱେବସାଇଟ୍ https://exams.nta.nic.in/sainik-school-society/ କିମ୍ବା https://nta.ac.in/ ମାଧ୍ୟମରେ ଆବେଦନ କରିପାରିବେ।





