ଭୁବନେଶ୍ୱର: ବହୁଚର୍ଚ୍ଚିତ ସରକନ୍ତରା ହତ୍ୟାକାଣ୍ଡ ମାମଲାରେ କମିଶନରେଟ୍ ପୁଲିସ ବଡ଼ ସଫଳତା ହାସଲ କରିଛି। ପୁଲିସ ୪ ଜଣ ଅଭିଯୁକ୍ତ — ସୁକାନ୍ତ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ରାକେଶ ଖୁଣ୍ଟିଆ ଓ ସୁବ୍ରତ ସାହୁଙ୍କୁ ଗିରଫ କରିଛି। ଏସିପି (ଜୋନ୍-୩) ତାପସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ଯେ, ଗିରଫ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ଚାଲାଣ କରାଯାଇଛି ଓ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ ହୋଇଛି।

ପୁଲିସ ତଦନ୍ତରେ ଜଣାପଡ଼ିଛି ଯେ, ଜମି-ଜମା ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା। ପୂର୍ବ ଯୋଜନା ଅନୁଯାୟୀ ଏମସ ଯିବା ରାସ୍ତାରେ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ରାକେଶ ଖୁଣ୍ଟିଆ ହତ୍ୟା ଦିନ ସୁଧାଂଶୁଙ୍କୁ ଚିହ୍ନଇ ଦେଇଥିଲେ, ଯେଉଁଠାରେ ଶିବ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ଭାବରେ ଚିହ୍ନଟ ହୋଇଛି ଓ ସେ ଏବେବି ଫେରାର ଅଛି। ହତ୍ୟା ପରେ ବ୍ୟବହୃତ ବନ୍ଧୁକକୁ ସୁବ୍ରତ ସାହୁ ଲୁଚାଇ ରଖିଥିଲେ ବୋଲି ତଦନ୍ତରେ ପ୍ରକାଶ ପାଇଛି।

ଘଟଣା ପୃଷ୍ଠଭୂମି:

ଗତକାଲି ପ୍ରାୟ ସକାଳ ୯ଟା ସମୟରେ, ଏମସରେ କାର୍ଯ୍ୟରତ ଲ୍ୟାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଅଭିଯୋଗ ଅନୁସାରେ, ସାମାନ୍ୟ ପୈତୃକ ସମ୍ପତ୍ତି ବିବାଦକୁ ନେଇ ନିଜ କକାପୁଅ ଶିବ ପ୍ରଧାନ ସୁଧାଂଶୁଙ୍କୁ ହତ୍ୟା କରିଥିଲେ।

ସୁଧାଂଶୁଙ୍କ ବାପା ପଠାଣି ଓ ତାଙ୍କ ଭାଇ ସୁକାନ୍ତ ମଧ୍ୟରେ ଜମି-ଜମା ବିବାଦ ଚାଲୁଥିଲା। କୋର୍ଟ ରାୟ ସୁଧାଂଶୁଙ୍କ ପକ୍ଷରେ ଯାଇଥିଲା, ଯାହାକୁ ନେଇ ସୁକାନ୍ତଙ୍କ ପୁଅ ଶିବ ପ୍ରଧାନ ରାଗରେ ଜଳୁଥିଲେ। ସେ ଦଶହରା ଦିନ ଖୋଲା ଧମକ ଦେଇଥିଲେ ଯେ ସୁଧାଂଶୁଙ୍କୁ ମାରିଦେବେ — ଶେଷରେ ସେ ଯାହା କହିଥିଲେ, ତାହିଁ କରିଦେଲେ।

ପୁଲିସ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଛି। ମୁଖ୍ୟ ଅଭିଯୁକ୍ତ ଶିବ ପ୍ରଧାନଙ୍କ ଖୋଜ ଜାରି ରହିଛି ଓ ଶୀଘ୍ର ସେ ଗିରଫ ହେବେ ବୋଲି ପୋଲିସ ଆଶା କରୁଛି।