କଟକ: SCB Medical College and Hospitalରେ ଗତକାଲି ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି। ଗୁରୁତର ରୋଗୀମାନଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଦେଶର ପୁରାତନ ଓ ବଡ଼ ଚିକିତ୍ସାଳୟମାନଙ୍କ ମଧ୍ୟରୁ ଗୋଟିଏ ଏହି ହସ୍ପିଟାଲରେ ଘଟିଥିବା ଏହି ଦୁର୍ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ ମଧ୍ୟରାତ୍ରୀ ସମୟରେ ହସ୍ପିଟାଲର ଏକ ୱାର୍ଡରେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ଅଧିକାଂଶ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଶୋଇଥିବାରୁ ହଠାତ୍ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ମଚାରୀ ଓ ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ପ୍ରଥମେ ହସ୍ପିଟାଲର ନିଜସ୍ୱ ଅଗ୍ନିଶମ ବିଭାଗ ନିଆଁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲେ। ପରେ ବାହାରୁ ତିନୋଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଧୂଆଁ ଓ ତାପ ଯୋଗୁଁ ଅନେକ ରୋଗୀ ପ୍ରଭାବିତ ହୋଇଥିଲେ। ICUରେ ଭର୍ତ୍ତି ଗୁରୁତର ରୋଗୀମାନଙ୍କୁ ତୁରନ୍ତ ହସ୍ପିଟାଲର ନ୍ୟୁ ମେଡିସିନ୍ ICUକୁ ସ୍ଥାନାନ୍ତର କରାଯାଇଥିଲା।
ଏହି ଘଟଣାରେ ମୃତକଙ୍କ ତାଲିକା ପ୍ରକାଶ ପାଇଛି। ମୃତକମାନେ ହେଲେ— ରମେଶ ଚନ୍ଦ୍ର ପରିଡ଼ା, ଦାର୍ଶୁ ମୁଣ୍ଡା, ଏମ୍ଡି ନ୍ୟୁମ୍, ଗୌରାଙ୍ଗ ଚନ୍ଦ୍ର ବାରିକ, ଶେଖ୍ ଅବଦୁଲ୍ ସତାର, ମଧୁସୂଦନ ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର ଦାଶ, ଚେରୁ ପରିଡ଼ା ଓ ମେନକା ରାଉତ।
ଅଗ୍ନିକାଣ୍ଡ କେମିତି ଘଟିଲା ସେନେଇ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ସର୍ଟସର୍କିଟ୍ କିମ୍ବା ଅନ୍ୟ କୌଣସି କାରଣ ଥିବା ସନ୍ଦେହ କରାଯାଉଛି। ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପ୍ରଶାସନ କହିଛି।
ଘଟଣା ପରେ Mohan Charan Majhi ନିଜେ ହସ୍ପିଟାଲକୁ ଯାଇ ପରିସ୍ଥିତିର ସମୀକ୍ଷା କରିଥିଲେ। ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ସେହିପରି ଘଟଣାର ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।





