ଭୁବନେଶ୍ୱର: ରାଷ୍ଟ୍ରୀୟ ସୁରକ୍ଷା ଓ ଆପତ୍କାଳୀନ ପ୍ରସ୍ତୁତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ, ଆସନ୍ତାକାଲି ଅପରାହ୍ଣ ୪ଟାରେ ଓଡ଼ିଶାର ୧୨ଟି ଜିଲ୍ଲାରେ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ ଆରମ୍ଭ ହେବ। ଏହା ସହିତ ବାଜିବ ୫ ମିନିଟ୍ ଧରି ଏୟାର ରେଡ୍ ସାଇରନ୍। ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ସପ୍ତାହ ଧରି ଚାଲିବ।
ଆପତ୍କାଳୀନ ପ୍ରତିକ୍ରିୟା ଉପରେ ଗୁରୁତ୍ୱ:
ଏହି ଡ୍ରିଲ ମାଧ୍ୟମରେ ଜଣାଇଦିଆଯିବ ଯେ, ଶତ୍ରୁ ବିମାନ ଆକ୍ରମଣ ସମୟରେ ସାଧାରଣ ଲୋକମାନେ କିପରି ସୁରକ୍ଷିତ ରହିପାରିବେ। କଂକ୍ରିଟ୍ ଛାତ ତଳେ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯିବ। ଡ୍ରିଲ ସମାପ୍ତିରେ ପୁଣି ସାଇରନ୍ ବାଜି ଏହି ଅଭ୍ୟାସ ଶେଷ ହେବା ଧଧ୍ୟ ଜଣାଇଦିଆଯିବ।
ଭାଗନେଇଥିବା ଜିଲ୍ଲା ଓ ବର୍ଗିକରଣ:
ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଦେଶର ୨୫୯ଟି ଚିହ୍ନିତ ସିଭିଲ୍ ଡିଫେନ୍ସ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୧୨ଟି ଜିଲ୍ଲା ଡ୍ରିଲରେ ଭାଗନେଉଛି।
କ୍ୟାଟାଗୋରୀ–୧: ତାଳଚେର
କ୍ୟାଟାଗୋରୀ–୨: ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା
କ୍ୟାଟାଗୋରୀ–୩: ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା
ମେ ୭ ରେ ରାଷ୍ଟ୍ରବ୍ୟାପୀ ଡ୍ରିଲ୍:
ମେ ୭ ତାରିଖରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହିପରି ଡ୍ରିଲ କରାଯିବ। ଏହା ଜନମାନସରେ ସଚେତନତା ବଢ଼ାଇବା ସହ ଆପତ୍କାଳୀନ ସ୍ଥିତିରେ ତାତ୍କାଳିକ ପ୍ରତିକ୍ରିୟା ପାଇଁ ପ୍ରଶିକ୍ଷଣ ଦେବ।
ଅଗ୍ନିଶମ ଡିଜିଙ୍କ ସୂଚନା:
ଅଗ୍ନିଶମ ଏବଂ ସିଭିଲ୍ ଡିଫେନ୍ସ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଏଥିପାଇଁ ସମ୍ପୂର୍ଣ୍ଣ ବିବରଣୀ ଦେଇଥିବା ବେଳେ, ସମସ୍ତଙ୍କୁ ସଚେତନ ଓ ସହଯୋଗୀ ହେବାକୁ ଆହ୍ୱାନ କରିଛନ୍ତି।