ଭୁବନେଶ୍ୱର:
୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ଲୋକସେବା ଭବନରେ ‘ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବ’ ଆୟୋଜିତ ହୋଇଛି। ଏହି ଗରିମାମୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଡିଜିପି ୱାଇ.ବି. ଖୁରାନିଆଙ୍କ ସହ ବରିଷ୍ଠ ଅଧିକାରୀ ଓ ଆମନ୍ତ୍ରିତ ଅତିଥିମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜର ଅସାଧାରଣ ଦକ୍ଷତା, ଅଦମ୍ୟ ସାହସ ଓ କର୍ତ୍ତବ୍ୟନିଷ୍ଠା ମାଧ୍ୟମରେ ସମାଜ ଓ ରାଜ୍ୟ ପାଇଁ ଉଲ୍ଲେଖନୀୟ ସେବା ଦେଇଥିବା କର୍ମବୀରମାନଙ୍କୁ ସମ୍ମାନିତ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ।
ରାଜ୍ୟ ସରକାରଙ୍କ ଏହି ପଦକ ପ୍ରଦାନ ଉତ୍ସବ ରାଜ୍ୟରେ କର୍ତ୍ତବ୍ୟପରାୟଣତା, ସେବାଭାବ ଓ ନୀତିମୂଳକ କାର୍ଯ୍ୟଦକ୍ଷତାକୁ ଉତ୍ସାହିତ କରିବାରେ ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି କୁହାଯାଉଛି।





