ରାଉରକେଲା: ଯୁଦ୍ଧ ପରିସ୍ଥିତି ପରିଣାମରେ ସୃଷ୍ଟି ହୋଇଥିବା ରନ୍ଧନ ଗ୍ୟାସ୍‌ ସଙ୍କଟ ଏବେ ସୁନ୍ଦରଗଡ଼ ଜିଲ୍ଲାରେ ଗୁରୁତର ରୂପ ନେଇଛି। ଏହାର ଅବସର ନେଇ ରିହାତି ମୂଲ୍ୟର ଘରୋଇ ଏଲ୍‌ପିଜି ସିଲିଣ୍ଡର କଳାବଜାରକୁ ପ୍ରବେଶ କରିଥିବା ଘଟଣା ସାମ୍ନାକୁ ଆସିଛି। ସ୍ମାର୍ଟସିଟି ରାଉରକେଲା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ସିଲିଣ୍ଡର ୨ ହଜାରରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଚଢ଼ା ଦରରେ ବିକ୍ରି ହେଉଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୪.୧୩ ଲକ୍ଷ ଘରୋଇ ଏଲ୍‌ପିଜି ଗ୍ରାହକ ଅଛନ୍ତି। ଏଥିରୁ ୧.୯୭ ଲକ୍ଷ ଗ୍ରାହକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY)ର ହିତାଧିକାରୀ। ଜିଲ୍ଲାରେ ମୋଟ ୪୫ ଜଣ ବିତରକ ଥିବାବେଳେ ପ୍ରତିଦିନ ଲଗଭଗ ୭ ହଜାର ସିଲିଣ୍ଡରର ଆବଶ୍ୟକତା ରହିଛି।

ନିୟମାନୁସାରେ, ଜଣେ ଘରୋଇ ଗ୍ରାହକ ବର୍ଷକୁ ସର୍ବାଧିକ ୧୨ଟି ସିଲିଣ୍ଡର ପାଇପାରନ୍ତି। କିନ୍ତୁ ବାସ୍ତବରେ ଅଧିକାଂଶ ପରିବାର ବର୍ଷକୁ ୫ରୁ ୬ଟି ସିଲିଣ୍ଡର ବ୍ୟବହାର କରନ୍ତି। ଏହି ଅତିରିକ୍ତ ସିଲିଣ୍ଡରଗୁଡ଼ିକୁ କେତେକ ଲୋଭୀ ଗ୍ରାହକ ଦଲାଲଙ୍କୁ ବେଆଇନ ଭାବେ ବିକ୍ରି କରୁଥିବା ଅଭିଯୋଗ ରହିଛି।

ପୂର୍ବରୁ ଏହି ଅତିରିକ୍ତ ସିଲିଣ୍ଡର ପ୍ରତିଟିରେ ୨୦୦ରୁ ୩୦୦ ଟଙ୍କା ଅଧିକ ଦର ନିଆଯାଉଥିଲା। କିନ୍ତୁ ବର୍ତ୍ତମାନ ସଙ୍କଟର ଫାଇଦା ଉଠାଇ ଏହା ୭୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ପରେ ଏହି ସିଲିଣ୍ଡରଗୁଡ଼ିକୁ କଳାବଜାରକାରୀମାନେ ୨୦୦୦ରୁ ୨୫୦୦ ଟଙ୍କାରେ ବିକ୍ରି କରୁଛନ୍ତି।

ଏହାସହିତ ଦଲାଲମାନେ ଘରୋଇ ସିଲିଣ୍ଡରକୁ ବାଣିଜ୍ୟିକ କାମରେ ବ୍ୟବହାର ପାଇଁ ହୋଟେଲ ଓ ରେସ୍ତୁରାଣ୍ଟମାନଙ୍କୁ ଅଧିକ ଦରରେ ଯୋଗାଇ ଦେଉଛନ୍ତି। କେତେକ ସ୍ଥାନରେ ଛୋଟ ସିଲିଣ୍ଡରରେ ଅବୈଧ ଭାବେ ଗ୍ୟାସ୍‌ ପୁନଃପୂରଣ ହେଉଥିବା ମଧ୍ୟ ଦେଖାଯାଇଛି।

ଏହି ପରିସ୍ଥିତିର ପ୍ରଭାବ ସରାସରି ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ହୋଟେଲ ଓ ଖାଦ୍ୟ ବ୍ୟବସାୟୀମାନେ ଉଚ୍ଚ ଦରରେ ଗ୍ୟାସ୍‌ କିଣୁଥିବାରୁ ଖାଦ୍ୟ ସାମଗ୍ରୀର ଦର ବଢ଼ାଇଦେଉଛନ୍ତି, ଯାହା ଗ୍ରାହକଙ୍କ ଜେବକୁ ଆଘାତ କରୁଛି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ୧୪ କିଲୋଗ୍ରାମ ଘରୋଇ ଏଲ୍‌ପିଜି ସିଲିଣ୍ଡରର ଦର ପ୍ରାୟ ୯୭୨ ଟଙ୍କା ଥିବାବେଳେ, ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୨୬୪ରୁ ୨୨୮୬ ଟଙ୍କା ମଧ୍ୟରେ ରହିଛି। PMUY ହିତାଧିକାରୀମାନେ ପ୍ରତି ସିଲିଣ୍ଡରରେ ପ୍ରାୟ ୩୩୨ ଟଙ୍କାର ରିହାତି ପାଉଛନ୍ତି।

ଏହି କଳାବଜାରକୁ ରୋକିବା ପାଇଁ ପ୍ରଶାସନ କଡ଼ା ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣ ଲୋକମାନେ ଦାବି କରୁଛନ୍ତି।