ମାଲକାନଗିରି, ୬ ଅକ୍ଟୋବର – ସୀମାନ୍ତ ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ଆଜି ତିନିଜଣ ମାଓବାଦୀ — ଜୈନୀ, ମନିଲା ଓ ଦିନେଶ — ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ତିନିଜଣଙ୍କ ମୁଣ୍ଡରେ ପ୍ରତ୍ୟେକଙ୍କ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଥିଲା। ତିନିଜଣେ ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ଥିବା ସୂଚନା ମିଳିଛି।

ପୁଲିସ ସମ୍ମୁଖରେ ନିଜର ଅସ୍ତ୍ର ସହ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀମାନେ ପିଛଲା ୫ରୁ ୮ ବର୍ଷ ପର୍ଯ୍ୟନ୍ତ ସଂଗଠନ ସହିତ ଜଡିତ ଥିଲେ। ସେମାନେ ପୁଲିସ ଉପରେ ଆକ୍ରମଣ, ଲୁଟପାଟ, ଲୋକଙ୍କୁ ମାରପିଟ ଏବଂ ଲ୍ୟାଣ୍ଡମାଇନ ଖୋଳିବା ଭଳି ହିଂସାତ୍ମକ କାର୍ଯ୍ୟରେ ଜଡିତ ଥିବା ସ୍ଵୀକାର କରିଛନ୍ତି।

ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ଏବଂ ପୁଲିସର ଲଗାତାର ଅପରେସନ ଯୋଗୁଁ ସେମାନେ ସଂଗଠନ ଛାଡି ମୁଖ୍ୟ ସ୍ରୋତରେ ଫେରିବା ନିଷ୍ପତ୍ତି ନେଇଥିଲେ। ସେମାନଙ୍କ କହିବା ଅନୁସାରେ, ସଂଗଠନ ଏବେ ନେତା ବିହୀନ ହୋଇ ଦୁଇ ଭାଗକୁ ବିଭକ୍ତ ହୋଇ ଭୁସୁଡ଼ିବା ଅବସ୍ଥାରେ ଅଛି।

ପୁଲିସ ପକ୍ଷରୁ ତିନି ଜଣ ଆତ୍ମସମର୍ପିତ ମାଓବାଦୀଙ୍କୁ ପ୍ରାରମ୍ଭିକ ଭାବେ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆସନ୍ତା ଦିନରେ ସେମାନଙ୍କୁ ଆତ୍ମନିର୍ଭର ଜୀବନ ଯାପନ ପାଇଁ ସହାୟତା ଦିଆଯିବ ବୋଲି ପୁଲିସ ପକ୍ଷରୁ ଜଣାଇ ଦିଆଯାଇଛି।