ଭୁବନେଶ୍ୱର: ଓଡ଼ିଶାର ପ୍ରଶାସନିକ ଚାକିରିରେ ଦୀର୍ଘଦିନ ଧରି ପ୍ରଭାବଶାଳୀ ଓ ଚର୍ଚ୍ଚିତ ଥିବା ଅନେକ IAS ଓ IPS ଅଫିସର ଏବେ ବର୍ତ୍ତମାନ ଦିଲ୍ଲୀ ମୁଖି ହେଉଛନ୍ତି। ବିଜେଡି ଶାସନାଧୀନ ସମୟରେ ପ୍ରଭାବଶାଳୀ ଭୂମିକାରେ ଥିବା ବଛା ବଛା ଅଫିସରମାନେ ବର୍ତ୍ତମାନ ଏକେ ପରେ ଏକ କରି ଓଡ଼ିଶା ଛାଡ଼ି କେନ୍ଦ୍ରୀୟ ଡେପୁଟେସନର ଲାଗି ଚାଲିଯାଉଛନ୍ତି।
ଗତ ଏକ ବର୍ଷ ମଧ୍ୟରେ ମାତ୍ର ୯ ଜଣ IAS ଓ IPS ଅଫିସର ଓଡ଼ିଶା ଛାଡ଼ି ଦିଲ୍ଲୀକୁ ଯାଇଛନ୍ତି। ତାଙ୍କ ମଧ୍ୟରୁ ଅନେକ ଅଫିସର ଏକ ସମୟରେ ଭି.କେ. ପାଣ୍ଡିଆନଙ୍କ ସହଯୋଗୀ ଓ ବିଶ୍ୱସ୍ତ ଭାବେ ଚିହ୍ନଟ ହୋଇଥିଲେ। IAS ସୁଜାତା କାର୍ତ୍ତିକେୟନ ତ ଆଉ ଏକ ପଦକ୍ଷେପ ଆଗକୁ ଯାଇ ସିଧାସଳଖ ଚାକିରିରୁ ଇସ୍ତଫା ଦେଇଛନ୍ତି।
IPS ଡି.ଏସ୍. କୁଟ୍ଟେ, ଆଶିଷ ସିଂ, ରବିକାନ୍ତ ଓ ମିତ୍ରଭାନୁ ମହାପାତ୍ର ଭଳି ଅଫିସରମାନେ ଯେଉଁମାନେ ବିଜେଡି ଶାସନ କାଲୀନେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥିଲେ, ସେମାନେ ମଧ୍ୟ କେନ୍ଦ୍ର ସରକାର ସହିତ କାର୍ଯ୍ୟ କରିବା ପାଇଁ ଡେପୁଟେସନରେ ଯାଇଛନ୍ତି।
ଏହି ଘଟଣାକୁ ନେଇ ପାୱାର କରିଡରରେ ବିଭିନ୍ନ ଚର୍ଚ୍ଚା ଚାଲିଛି। ଏହି ଅଫିସରମାନେ ରାଜ୍ୟ ତ୍ୟାଗ କରି କେନ୍ଦ୍ରକୁ ପସନ୍ଦ କରିବାର ନିଷ୍ପତ୍ତି ନେଇ କିଛି ପ୍ରଶ୍ନ ଉଠିଛି। ରାଜ୍ୟର ନୂଆ ରାଜନୈତିକ ପରିବେଶ ଓ ପ୍ରଶାସନିକ ଅବସ୍ଥା ଏଥିରେ ପ୍ରଭାବ ପାକାଇଥିବା ଅନୁମାନ ଲାଗିଛି।