ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଧୀନ ଆମଣାକୁଦ ପଞ୍ଚାୟତର ମାଣିକପୁର ଗ୍ରାମରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ସମୟରେ ଗୁରୁତର ଘଟଣା ଘଟିଛି। ଦୋକାନ ଘର ଉଚ୍ଛେଦ ପାଇଁ ପହଞ୍ଚିଥିବା ପ୍ରଶାସନିକ ଟିମ୍ ସାମ୍ନାରେ ଜଣେ ବ୍ୟବସାୟୀ ବିଷାକ୍ତ ପଦାର୍ଥ ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଗ୍ରାମର ବିପିନ ସେଠୀ ଦୀର୍ଘ ପ୍ରାୟ ୩୦ ବର୍ଷ ଧରି ସରକାରୀ ଜମିରେ ଦୋକାନ ଘର ନିର୍ମାଣ କରି ବ୍ୟବସାୟ କରୁଥିଲେ। ଏହି ଦୋକାନରୁ ମିଳୁଥିବା ଆୟରେ ତାଙ୍କ ପରିବାରର ଜୀବିକା ଚାଲୁଥିଲା। ସରକାରୀ ଜମି ଜବରଦଖଲ ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ତହସିଲ ପ୍ରଶାସନ ତଦନ୍ତ କରି ବାରମ୍ବାର ଉଚ୍ଛେଦ ନୋଟିସ ଜାରି କରିଥିଲା।
ଗୁରୁବାର ପୂର୍ବାହ୍ନରେ ବାଲିପାଟଣା ତହସିଲଦାରଙ୍କ ନେତୃତ୍ୱରେ ପ୍ରଶାସନିକ ଦଳ ମାଣିକପୁର ଗ୍ରାମରେ ପହଞ୍ଚି ଜେସିବି ସାହାଯ୍ୟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ପାଇଁ ପ୍ରସ୍ତୁତି କରୁଥିଲା। ଏହି ସମୟରେ ବିପିନ ସେଠୀ ଗ୍ରାମର ଅନ୍ୟ ସରକାରୀ ଜମିରେ ମଧ୍ୟ ନିର୍ମାଣ ହୋଇଥିବା ସତ୍ତ୍ୱେ କେବଳ ତାଙ୍କୁ ଟାର୍ଗେଟ୍ କରାଯାଉଥିବା ଅଭିଯୋଗ କରିଥିଲେ।
ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ସମୟରେ ସେ ହଠାତ୍ ବିଷାକ୍ତ କୀଟନାଶକ ସେବନ କରି ଅସୁସ୍ଥ ହୋଇପଡ଼ିଥିଲେ। ତତ୍କ୍ଷଣାତ୍ ପ୍ରଶାସନ ପକ୍ଷରୁ ତାଙ୍କୁ ଆଡଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ପରେ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିବାବେଳେ ସ୍ଥାନୀୟ ଲୋକେ ଏହାକୁ ରାଜନୈତିକ ପ୍ରେରଣାପ୍ରାପ୍ତ କାର୍ଯ୍ୟ ବୋଲି ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ତିବ୍ର ଚର୍ଚ୍ଚା ସୃଷ୍ଟି ହୋଇଛି।





