ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ (୧୭ ସେପ୍ଟେମ୍ବର) ଅବସରରେ ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ବୃକ୍ଷରୋପଣ କରାଯିବ। ଏହି କାର୍ଯ୍ୟକ୍ରମ ‘ଏକ ପେଡ଼ ମା କେ ନାମ’ ଅଭିଯାନର ଅଂଶ, ଯାହାକି ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିଲା ଏବଂ ଏବେ ଜନାନ୍ଦୋଳନରେ ପରିଣତ ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଆରେ ଜାରି କରିଥିବା ଭିଡିଓ ବାର୍ତ୍ତାରେ ସମସ୍ତଙ୍କୁ ବୃକ୍ଷରୋପଣରେ ସାମିଲ୍ ହେବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, “ଗଛ ହେଉଛି ଆମର ପ୍ରାଣ, ସହଚର ଓ ସମ୍ପଦ। ଆଗାମୀ ପିଢ଼ିକୁ ସୁସ୍ଥ ଓ ଶୁଦ୍ଧ ପରିବେଶ ଦେବା ଆମର କର୍ତ୍ତବ୍ୟ।”

ଚଳିତ ବର୍ଷ ଏହି ଅଭିଯାନର ଦ୍ୱିତୀୟ ସଂସ୍କରଣରେ ରାଜ୍ୟବ୍ୟାପୀ ୭.୫ କୋଟି ବୃକ୍ଷରୋପଣର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି। ୧୭ ସେପ୍ଟେମ୍ବରରେ ୭୫ ଲକ୍ଷ ଚାରା ପ୍ରତିଷ୍ଠା କରାଯିବା ସେଥିରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ମୁଖ୍ୟମନ୍ତ୍ରୀ ମାଝୀ ଜଣାଇଛନ୍ତି, ପରିବେଶ ସୁରକ୍ଷା, ଶୁଦ୍ଧ ପବନ ଓ ସୁସ୍ଥ ଜୀବନ ପାଇଁ ଗଛର ମହତ୍ତ୍ୱ ଅସୀମ। ସେଥିପାଇଁ ପ୍ରତ୍ୟେକ ଲୋକଙ୍କୁ କମରେ କମ୍ ଗୋଟିଏ ଗଛ ଲଗାଇ ଧରିତ୍ରୀ ମା’ର ପ୍ରକୃତ ସେବା କରିବାକୁ ସେ ଆହ୍ୱାନ କରିଛନ୍ତି।