କଟକବନଖଣ୍ଡ/ଯାଜପୁର: କଟକବନଖଣ୍ଡ ଅଧୀନ ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଟମକା ବନାଞ୍ଚଳରେ ଗତ ସାଢ଼େ ଚାରି ମାସ ଧରି ୨ଟି ଗୋଠଛଡ଼ା ଦନ୍ତାହାତୀ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା ସୃଷ୍ଟି କରୁଛନ୍ତି। ଏହି ଦୁଇ ଦନ୍ତା ଜଙ୍ଗଲ ଛାଡ଼ି ଜନବସତି ନିକଟରେ ଘୂରିବା ସହ ଗାଁଗାଁରେ ପଶି ଧାନ, କଦଳୀ ଓ ନଡ଼ିଆ ଫସଲ ନଷ୍ଟ କରୁଥିବା ଖବର ମିଳିଛି।
ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଗତ କିଛି ବର୍ଷ ଧରି ଢେଙ୍କାନାଳ ବନଖଣ୍ଡର କପିଳାସ ଅଭୟାରଣ୍ୟରୁ ବାହାରି ଆସୁଥିବା ଏକ ଉଗ୍ର ସ୍ବଭାବର ଦନ୍ତା ଓ ଗତ ୨୮ ଅଗଷ୍ଟରୁ ଭୁବନ ବନାଞ୍ଚଳର ବାଉଁଶକଣ–କାନଖାଇ ଜଙ୍ଗଲ ପଟୁ ଆସିଥିବା ଅନ୍ୟ ଏକ ଦନ୍ତା ଏହି ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରୁଛନ୍ତି।
ଡୁବୁରି–ଡୁବିଖାଲ ଜଙ୍ଗଲ ଅଞ୍ଚଳରେ ଥିବା ଏକ ଦନ୍ତା ଗତକାଲି ସଂଧ୍ୟାରେ ଦ୍ରୁତ ଗତିରେ କେନ୍ଦୁଆକଣ, ପୁରୁଷୋତ୍ତମପୁର ଓ ସାପୁଆପଦା ମାର୍ଗ ଦେଇ ସୁକିନ୍ଦାଗଡ଼ ରଥଛକରେ ପହଞ୍ଚିଥିଲା। ସାହି ଓ ବଡ଼ଦାଣ୍ଡରେ ନିର୍ଭୟରେ ଘୂରିବା ସହ ସୁକିନ୍ଦା ଥାନା ନିକଟ ପର୍ଯ୍ୟନ୍ତ ଯାଇଥିଲା। ପରେ ରେଙ୍ଗାଲି ବାମ କେନାଲ, ଗୋଲେଖପୁର ଓ ପୁବଳ ମାର୍ଗ ଦେଇ ଭୁବନର କାନଖାଇ ଜଙ୍ଗଲ ମୁହାଁ ହୋଇଛି।
ରେଞ୍ଜର ସତ୍ୟବ୍ରତ ପ୍ରଧାନ, ବନପାଳ ମନୋରମା ହୋତା, ରାମ ତିରିଆ ଓ ପ୍ରଶାନ୍ତ ହେମ୍ବ୍ରମଙ୍କ ନେତୃତ୍ୱରେ ୨୦ ଜଣିଆ ବନବାହିନୀ ହାତୀର ଗତିବିଧି ଉପରେ କଡ଼ା ନଜର ରଖି ଲୋକମାନଙ୍କୁ ସଚେତନ କରୁଛନ୍ତି।
ବୋତଲଣ୍ଡା ଗାଁରେ ପୂର୍ବରୁ ଉପଦ୍ରବ
ସାଢ଼େ ଚାରି ମାସ ପୂର୍ବେ ଏହି ଦନ୍ତା ମାଈହାତୀ ସହ ଭୁବନ ରେଞ୍ଜ୍ ପଟୁ ଜାତୀୟ ରାଜପଥ–୫୩ ଦେଇ ସୁକିନ୍ଦାର ବୋତଲଣ୍ଡା ଗାଁରେ ପଶି ଉପଦ୍ରବ କରିଥିଲା। ଅନ୍ୟପଟେ, କପିଳାସ ଅଭୟାରଣ୍ୟର ଶାନ୍ତ ସ୍ବଭାବର ‘ବାହୁବଳୀ’ ନାମରେ ପରିଚିତ ଦନ୍ତା ଟମକା, ବ୍ରାହ୍ମଣୀପାଳ, ଆନନ୍ଦପୁର ଓ ଦେଓଗାଁ ରେଞ୍ଜ୍ ଅଞ୍ଚଳରେ ଘୂରିଥିଲା। ଗତ ୨୨ ସେପ୍ଟେମ୍ବରରେ ସେ କପିଳାସ ଫେରିଯାଇଥିଲା।
ମୃତ୍ୟୁ ଘଟଣା ମଧ୍ୟ ଘଟିଛି
ଡିସେମ୍ବର ୧୯ ତାରିଖରେ ସୋର ଅଞ୍ଚଳର କୁପାରୀ ଗାଁରେ ଏକ ଦନ୍ତା ଜଣେ ବ୍ୟକ୍ତିଙ୍କୁ ଦଳି ମୃତ୍ୟୁ ଘଟାଇଥିଲା। ତା’ପୂର୍ବରୁ ନୀଳଗିରି ଇଲାକାରେ ମଧ୍ୟ ଏହି ଦନ୍ତା ଜଣେ ଲୋକଙ୍କୁ ମାରିଥିବା ଅଭିଯୋଗ ରହିଛି। ଭଦ୍ରକ, ଆନନ୍ଦପୁର, ଟମକା ଓ ସୁକିନ୍ଦା ଅଞ୍ଚଳ ଦେଇ ଚଳାଚଳ ସମୟରେ ଦନ୍ତା ଖଣି ଅଞ୍ଚଳର ଅନେକ ଖଳା ଓ ବାଡ଼ିବଗିଚା ନଷ୍ଟ କରିଛି।
ବନ ବିଭାଗ କହିଛି, ଲୋକମାନେ ସତର୍କ ରହିବା ସହ ହାତୀ ଦେଖାଗଲେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ହାତୀ–ମଣିଷ ସଂଘର୍ଷ ରୋକିବା ଏବେ ବନ ବିଭାଗ ପାଇଁ ସର୍ବାଧିକ ଚ୍ୟାଲେଞ୍ଜ ହୋଇଉଠିଛି।





