ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧ ତାରିଖ, ‘ଓଡ଼ିଶା ଦିବସ’ ଅବସରରେ ଭୁବନେଶ୍ୱରରେ ଭିଏଫଏସ ଗ୍ଲୋବାଲର ଏକ ଭିସା ଆବେଦନ କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଏହି ସୂଚନା ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ଓ ସିଇଓ ଜୁବିନ କର୍କାରିଆ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।

ଓଡ଼ିଶାରୁ ବିଦେଶକୁ ଉଚ୍ଚଶିକ୍ଷା ଓ ବ୍ୟବସାୟିକ କାରଣରେ ଯାଉଥିବା ଯୁବପିଢ଼ୀଙ୍କ ସୁବିଧା ପାଇଁ ଶ୍ରୀ ପ୍ରଧାନ ଗତ ବର୍ଷ ସେପ୍ଟେମ୍ବର ୨, ୨୦୨୫ ତାରିଖରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭୁବନେଶ୍ୱରରେ ଏକ ସ୍ଥାନୀୟ ଭିସା କେନ୍ଦ୍ର ସ୍ଥାପନ ପାଇଁ ଅନୁରୋଧ କରିଥିଲେ। ସେଥିସହ ଭିଏଫଏସ ଗ୍ଲୋବାଲ ପକ୍ଷ ସହ ମଧ୍ୟ ଆଲୋଚନା କରାଯାଇଥିଲା। ପରେ କମ୍ପାନୀ ପକ୍ଷରୁ ପ୍ରସ୍ତାବକୁ ସ୍ୱୀକୃତି ମିଳିଥିଲା।

ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରେ ୟୁକେ ସହ କିଛି ନିର୍ଦ୍ଧାରିତ ଦେଶ ପାଇଁ ଭିସା ଆବେଦନ ଗ୍ରହଣ କରାଯିବ। ଆଗାମୀ ଦିନରେ ଚାହିଦା ଅନୁଯାୟୀ ଅନ୍ୟାନ୍ୟ ଦେଶକୁ ମଧ୍ୟ ସେବା ଆବର୍ତ୍ତରେ ଆଣାଯିବ ବୋଲି ଜଣାପଡ଼ିଛି।

ଏହା ସହିତ ଏହି କେନ୍ଦ୍ରରେ ‘ଭିସା କନସିଅର୍ଜ ସେବା’ ମଧ୍ୟ ଉପଲବ୍ଧ ହେବ। ଫର୍ମ ପୂରଣ, ବୀମା ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରକ୍ରିୟାରେ ଆବେଦକମାନେ ସହଯୋଗ ପାଇବେ। ସ୍ଥାନୀୟ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେଇ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରାଯିବ।

ଶ୍ରୀ ପ୍ରଧାନ ସୋସିଆଲ ମିଡିଆ ମାଧ୍ୟମ ‘ଏକ୍ସ’ରେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ଭିଏଫଏସ ଗ୍ଲୋବାଲର ସିଇଓଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି କେନ୍ଦ୍ର ଖୋଲିବା ସହ ଓଡ଼ିଶାର ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଆଉ ଭିସା ସମ୍ପର୍କିତ କାମ ପାଇଁ କୋଲକାତା କିମ୍ବା ଅନ୍ୟ ସହରକୁ ଯିବାକୁ ପଡ଼ିବ ନାହିଁ। ଏହା ଫଳରେ ସମୟ, ଅର୍ଥ ଓ ପରିଶ୍ରମର ସଞ୍ଚୟ ହେବା ସହ ରାଜ୍ୟର ଆନ୍ତର୍ଜାତୀୟ ସଂଯୋଗକୁ ନୂତନ ଦିଗ ମିଳିବ।

ଭିଏଫଏସ ଗ୍ଲୋବାଲ ପକ୍ଷରୁ ଏହି କେନ୍ଦ୍ରର ଉଦଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଶ୍ରୀ ପ୍ରଧାନଙ୍କୁ ଆମନ୍ତ୍ରଣ ମଧ୍ୟ ଦିଆଯାଇଛି।