ପାଟନା/ଲଖିସରାଇ: ବିହାରରେ ନିର୍ବାଚନୀ ମହଲ ଚାଲିଥିବା ସମୟରେ ବିଜେପିର ‘ୱାସିଂ ମେସିନ୍’ ପୁଣିଥରେ ଚର୍ଚ୍ଚାରେ। ବିଭିନ୍ନ ଦଳର ବିବାଦିତ ଓ ଅପରାଧୀ ପୃଷ୍ଠଭୂମି ଥିବା ନେତାମାନେ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ହେଉଛନ୍ତି। କିଛି ଆଗରୁ ସାମିଲ ହୋଇଥିବା ବେଳେ, ଅନ୍ୟେମାନେ ଯୋଗଦେବାକୁ ପାଳିରେ ରହିଛନ୍ତି।
ଲଖିସରାଇର ଆରଜେଡି ବିଧାୟକ ପ୍ରହଲ୍ଲାଦ ଯାଦବଙ୍କୁ ବିଜେପିରେ ଆଣିବା ପ୍ରଚେଷ୍ଟା ଚାଲିଛି। ସେ, ଫ୍ଲୋର ଟେଷ୍ଟ ସମୟରେ ଆରଜେଡି ଛାଡି ଏନଡିଏ ସରକାରଙ୍କୁ ସମର୍ଥନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ସୂର୍ଯ୍ୟଗଡ଼ା ବିଧାନସଭାରୁ ଟିକେଟ୍ ଦେବା ପ୍ରତିଶ୍ରୁତି ଦେଇଥିବା ଖବର ଆସୁଛି। କିନ୍ତୁ, ଲଖିସରାଇରେ ସିହ୍ନା ଓ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ (ଲଲ୍ଲନ ସିଂହ) ମଧ୍ୟରେ ବିବାଦ କାରଣରେ ପ୍ରହଲ୍ଲାଦ ଯାଦବଙ୍କ ପଦକ୍ଷେପ ଜଟିଳତାରେ ପଡ଼ିଛି।
ସମ୍ପ୍ରତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୟାରେ ସଭା କରିଥିବା ବେଳେ, ଆରଜେଡି ବିଧାୟକ ବିଭା ଦେବୀ ଓ ପ୍ରକାଶ ବୀରଙ୍କୁ ମଞ୍ଚରେ ନେଇଥିବାକୁ ଦେଖାଯାଇଥିଲା। ବିଭା ଦେବୀ ହେଲେ ଆରଜେଡିର ବାହୁବଳୀ ନେତା ରାଜବଲ୍ଲଭ ଯାଦବଙ୍କ ପତ୍ନୀ, ଯିଏ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କିନ୍ତୁ ନିକଟରେ ହାଇକୋର୍ଟ ଦ୍ୱାରା ଖଲାସ ହୋଇଛନ୍ତି। ଖବର ଅନୁଯାୟୀ, ବିଭା ଦେବୀ ଖୁବ୍ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି।
ଏହା ପୂର୍ବରୁ, ୨୦୨୪ ଅଗଷ୍ଟରେ ବାହୁବଳୀ ପୂର୍ବତନ ବିଧାୟକ ସୁନୀଲ ପାଣ୍ଡେ ଓ ତାଙ୍କ ପୁଅ ସନ୍ଦୀପ ପାଣ୍ଡେ ବିଜେପିରେ ସାମିଲ ହୋଇଥିଲେ। ସନ୍ଦୀପ ପାଣ୍ଡେ, ତରାରୀ ବିଧାନସଭାରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।
ବିହାରରେ ଏବେ, ଅପରାଧୀ ପୃଷ୍ଠଭୂମି ଥିବା ନେତାଙ୍କୁ ‘ମିଷ୍ଟର କ୍ଲିନ୍’ କରିବା ପ୍ରକ୍ରିୟାରେ ବିଜେପି ସକ୍ରିୟ ହୋଇଥିବା ରାଜନୈତିକ ମହଲରେ ବିସ୍ତୃତ ଚର୍ଚ୍ଚା ହେଉଛି।