ପାଟନା: ବିହାରରେ ଏନ୍‌ଡିଏ ପକ୍ଷର ବ୍ୟାପକ ବିଜୟରେ ମହିଳା ମତଦାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। କିନ୍ତୁ ସେହି ମତଦାନର ପ୍ରତିଫଳ ମନ୍ତ୍ରିମଣ୍ଡଳ ଗଠନରେ ଜଣାପଡ଼ିନି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟ୍‌ରେ ଗୁରୁବାର ଶପଥ ନେଇଥିବା ୨୬ ଜଣ ମନ୍ତ୍ରୀଙ୍କ ମଧ୍ୟରୁ କେବଳ ୩ ଜଣ ମହିଳାଙ୍କୁ ସ୍ଥାନ ଦିଆଯାଇଛି। ଏହା ମନ୍ତ୍ରିମଣ୍ଡଳର କେବଳ ୧୧ ପ୍ରତିଶତକୁ ପ୍ରତିନିଧିତ୍ୱ କରେ।

ପ୍ରବଳ ଜନସମାଗମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିତେ ନୀତୀଶ କୁମାର ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ନେଲେ। ତାଙ୍କ ସହ ଶପଥ ନେଇଥିବା ୨୬ ମନ୍ତ୍ରୀଙ୍କ ତାଲିକାରେ ଲେସି ସିଂହ, ଶ୍ରେୟସୀ ସିଂହ ଓ ରମା ନିଷାଦ ନାମକାରେ ୩ ଜଣ ମହିଳାଙ୍କ ଅସ୍ତିତ୍ୱ ଦେଖିବାକୁ ମିଳିଲା।

ମନ୍ତ୍ରିମଣ୍ଡଳରେ ଥିବା ତିନିଜଣ ମହିଳା ମନ୍ତ୍ରୀ

ଲେସି ସିଂହ

ଧାମଦହ ଆସନରୁ ଛଅଥର ବିଧାୟିକା ଥିବା ଲେସି ସିଂହ ପୁଣିଥରେ ନୀତୀଶ କୁମାରଙ୍କ ଭରସା ଜିତିଛନ୍ତି। ଗତ ସରକାରରେ ସେ ଖାଦ୍ୟ ଓ ଉପଭୋକ୍ତା ସୁରକ୍ଷା ବିଭାଗର ମନ୍ତ୍ରୀ ଥିଲେ। ଏଥର ନିର୍ବାଚନରେ ସେ ୫୫,୧୫୯ ଭୋଟ ମାର୍ଜିନ୍‌ରେ ବିଜୟୀ ହୋଇଥିଲେ।

ଶ୍ରେୟସୀ ସିଂହ

ବିଜେପି କୋଟାରୁ ମନ୍ତ୍ରିମଣ୍ଡଳରେ ସ୍ଥାନପ୍ରାପ୍ତ ଶ୍ରେୟସୀ ସିଂହ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ଜମୁଇ ଆସନରୁ ଆର୍‌ଜେଡିର ମହମ୍ମଦ ସମସାଦ ଆଲମଙ୍କୁ ୫୪,୪୯୮ ଭୋଟରେ ପରାସ୍ତ କରି ସେ ବିଜୟ ହୋଇଥିଲେ। ଶ୍ରେୟସୀ ସିଂହ ଜଣେ ପରିଚିତ କ୍ରୀଡ଼ାବିଦ୍ ଏବଂ ଦ୍ବିତୀୟ ଥର ପାଇଁ ବିଧାନସଭାରେ ପ୍ରବେଶ କରିଛନ୍ତି।

ରମା ନିଷାଦ

ନୀତୀଶ କୁମାରଙ୍କ କ୍ୟାବିନେଟ୍‌ରେ ଓରାଇ ବିଧାନସଭାର ଜିତୁଥିବା ରମା ନିଷାଦଙ୍କୁ ସାମିଲ କରାଯାଇଛି। ମୁଜାଫରପୁରର ପୂର୍ବତନ ବିଜେପି ସାଂସଦ ଅଜୟ ନିଷାଦଙ୍କ ପତ୍ନୀ ଥିବା ରମା ୫୪ ହଜାର ଭୋଟରେ ବିଜୟୀ ହୋଇଥିଲେ। ସେ ଭିଆଇପି ପ୍ରାର୍ଥୀ ଭୋଗେନ୍ଦ୍ର ସାହାନୀଙ୍କୁ ପରାଜିତ କରିଥିଲେ।