ପାଟନା: ସ୍ୱାଧୀନ ସାଂସଦ ରାଜେଶ ରଞ୍ଜନ ଓରଫ ପପୁ ଯାଦବଙ୍କୁ ୩୧ ବର୍ଷ ପୁରୁଣା ମାମଲାରେ ଗିରଫ କରାଯାଇବା ପରେ ବିହାର ରାଜନୀତି ଗରମ ହୋଇଯାଇଛି। ଏହି ଗିରଫକୁ ନେଇ ବିଭିନ୍ନ ଦଳର ପ୍ରତିକ୍ରିୟା ଆସୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପପୁ ଯାଦବଙ୍କ ପକ୍ଷରେ ବକ୍ତବ୍ୟ ରଖିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି, ଏହି ଗିରଫ ରାଜନୈତିକ ପ୍ରତିଶୋଧର ଅଂଶ। ପାଟନାରେ ଜଣେ ନିଟ୍‌ ଆଶାୟୀ ଛାତ୍ରୀଙ୍କ ଦୁଷ୍କର୍ମ ଓ ମୃତ୍ୟୁ ଘଟଣାରେ ପପୁ ଯାଦବ ପୀଡ଼ିତାଙ୍କ ପରିବାର ପକ୍ଷରେ ଆଗକୁ ଆସିଥିବାରୁ ତାଙ୍କୁ ଟାର୍ଗେଟ୍‌ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଘଟଣାରେ ପପୁ ଯାଦବଙ୍କୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି, ଛାତ୍ରୀଙ୍କ ସହ ଅପରାଧ ମାମଲାରେ ଏତଲା ରୁ ଆରମ୍ଭ କରି ତଦନ୍ତ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ଉଠୁଛି। ମହିଳାଙ୍କ ବିରୋଧରେ ଘଟୁଥିବା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ସରକାର ଅଭିଯୁକ୍ତଙ୍କ ପକ୍ଷରେ ରହୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏପଟେ ବିହାର ଏନ୍‌ଡିଏ ନେତାମାନେ କହିଛନ୍ତି ଯେ, ପପୁ ଯାଦବ ନିଜ ଗିରଫକୁ ରାଜନୀତିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି। ଗିରଫ ପରେ ଅସୁସ୍ଥ ଅନୁଭବ କରିବାରୁ ପପୁ ଯାଦବଙ୍କୁ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ବିଭିନ୍ନ ପରୀକ୍ଷା କରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।