ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ରଣନୀତି ଓ ପ୍ରସ୍ତୁତିକୁ ଗୁରୁତ୍ୱ ଦେଇଛି। ବୁଧବାର ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦଳର ୧୦ ଜଣ ବିଧାୟକଙ୍କ ସହ ବୈଠକ କରି ନିଜ-ନିଜ ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ପ୍ରସ୍ତୁତି ଓ ରଣକୌଶଳ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ବୈଠକରେ ବିଜେପି ସରକାର ବିରୋଧରେ ଥିବା ଜନଅସନ୍ତୋଷକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରି ଦଳୀୟ ଭିତ୍ତିକୁ ମଜବୁତ କରିବା ପାଇଁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ସରକାରଙ୍କ କାର୍ଯ୍ୟଦକ୍ଷତା, ପ୍ରତିଶ୍ରୁତି ପୂରଣରେ ବିଫଳତା ଓ ଲୋକସମସ୍ୟା ସମ୍ପର୍କରେ ସାଧାରଣଙ୍କୁ ସଚେତନ କରିବାକୁ ସେ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି, ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟ, ଚାଷୀଙ୍କ ସମସ୍ୟା ଓ ଧାନ କିଣା ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ନବୀନ ପଟ୍ଟନାୟକ ତଥ୍ୟ ନେଇଥିଲେ। ବିଜେଡିର ଆଦର୍ଶ ଓ ସେବାମୂଳକ ରାଜନୀତିକୁ ଆଧାର କରି ଲୋକଙ୍କ ସହ ଜୋଡ଼ାଇ ରହିବା ପାଇଁ ସେ ବିଧାୟକମାନଙ୍କୁ ଆହ୍ୱାନ ଜଣାଇଥିଲେ।
ଏହି ବୈଠକରେ ବିଧାୟକ ପ୍ରତାପ କେଶରୀ ଦେବ, ବିଭୂତି ଭୂଷଣ ବଳବନ୍ତରାୟ, ସାରଦା ପ୍ରସନ୍ନ ନାୟକ, ଦେବୀରଞ୍ଜନ ତ୍ରିପାଠୀ, ଶୋଭିକ ବିଶ୍ୱାଳ, ଯୋଗେଶ କୁମାର ସିଂହ, ଅଧୀରାଜ ମୋହନ ପାଣିଗ୍ରାହୀ, ସୁନୀଲ ମହାନ୍ତି, ରୁପେଶ ପାଣିଗ୍ରାହୀ ଓ ରୋହିତ ଜୋସେଫ ତୀର୍କୀ ଉପସ୍ଥିତ ଥିଲେ।





