ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ପୁଣି ଏକ ଦଳବଦଳ ଘଟଣା ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ବିଜୁ ଜନତା ଦଳ (ବିଜେଡି) ଛାଡ଼ି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇଛନ୍ତି। ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ନିଜ ସମର୍ଥକଙ୍କ ସହ ଦଳରେ ସାମିଲ ହେଲେ।

ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପରେ ବିଜେପି ଜନସାଧାରଣଙ୍କ ଭରସା ହାସଲ କରିପାରିଛି। ବିକାଶମୂଳକ ଏବଂ ଜନହିତକାରୀ କାର୍ଯ୍ୟକ୍ରମରେ ପ୍ରେରିତ ହୋଇ ଅନେକ ନେତା ଓ କର୍ମୀ ବିଜେପିରେ ଯୋଗଦେଉଛନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ।

କମଳା ପାତ୍ରଙ୍କ ସହ ଲାଞ୍ଜିଗଡ ଓ ଥୁଆମୁଲ ରାମପୁର ଅଞ୍ଚଳର ଅନେକ ପଞ୍ଚାୟତ ସମିତି ସଦସ୍ୟ, ସରପଞ୍ଚ ଏବଂ ସମାଜସେବୀମାନେ ମଧ୍ୟ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଏହି ଯୋଗଦାନ ଫଳରେ କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ବିଜେପି ନେତୃତ୍ୱ ଆଶା ପ୍ରକାଶ କରିଛି।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ଲୋକମାନଙ୍କ ଆସ୍ଥା ଦିନକୁ ଦିନ ବଢ଼ୁଥିବା ନେଇ ମତ ପ୍ରକାଶ ପାଇଥିଲା।

ମିଶ୍ରଣ ପର୍ବରେ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଯାଇଥିଲା। ଏହି ଅବସରରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ।