ଭୁବନେଶ୍ୱର, 25 ଅଗଷ୍ଟ: ସାର ସଂକଟକୁ ନେଇ ବିଜେଡି–ବିଜେପି ମଧ୍ୟରେ ରାଜନୀତିକ ତିବ୍ରତା ବଢ଼ିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ସାର କଳାବଜାରୀ ଓ ରାଜ୍ୟର ଆବଶ୍ୟକତା ପୂରଣ ବିଷୟରେ ବିଜେପିକୁ ସ୍ପଷ୍ଟ ଜବାବ ଦେବାକୁ ପଡିବ।
ସେ କହିଛନ୍ତି, “ନବୀନ ପଟ୍ଟନାୟକ କେନ୍ଦ୍ରକୁ ସାର ଆବଶ୍ୟକତା ପୂରଣ ପାଇଁ ପତ୍ର ଲେଖିଛନ୍ତି। କିନ୍ତୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହୁଛନ୍ତି ଷ୍ଟେଟମେଣ୍ଟ ଦେବାର ଅଧିକାର ନାହିଁ। ଏହା ହାସ୍ୟାସ୍ପଦ। ଯେତେବେଳେ ସାର କଳାବଜାରୀ ହେଉଛି ଓ ଚାଷୀମାନେ ଦୁଃଖିତ, ସେତେବେଳେ ମୁଖ୍ୟମନ୍ତ୍ରୀ କଣ ଚୁପ୍ ରହିବେ?”
ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି, ମାର୍କଫେଡ୍ ମାଧ୍ୟମରେ ସାର ବିତରଣ ହେବାରୁ କଳାବଜାରୀ ଘଟୁଛି। ସେ ବିଜେପିକୁ ପ୍ରଶ୍ନ କରିଛନ୍ତି – “ଓଡ଼ିଶାକୁ ଯେତେ କୋଟା ମିଳୁଛି, ସେହିଟି ପୂରା ପାଉଛି କି? କଳାବଜାରୀ ହେଉଛି କି ନୁହେଁ?”
ସେ ଆଉ କହିଛନ୍ତି, ବିଜେପି ଡବଲ୍ ଇଞ୍ଜିନ୍ ସରକାରର କଥା କହିଥିଲେ, କିନ୍ତୁ ଗୋଟିଏ ବର୍ଷରେ ଓଡ଼ିଶାର ରାଙ୍କ ୧ରୁ ୮କୁ ଖସିଗଲା। “ସରକାର ଆଜି ନିଜେ ବୁଝିପାରିଛି ଯେ, ସେମାନଙ୍କ ଦ୍ୱାରା ରାଜ୍ୟର ପରିଚାଳନା ସମ୍ଭବ ନୁହେଁ। ଏହା ସରକାରର ଅପାରଗତା,” ବୋଲି ସେ କଟାକ୍ଷ କରିଛନ୍ତି।