ଭୁବନେଶ୍ବର: ବିଜୁ ଜନତା ଦଳକୁ ନେଇ ଚାଲିଥିବା ଅପପ୍ରଚାରକୁ କଡ଼ା ଭାଷାରେ ଖଣ୍ଡନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଦଳର ପ୍ରତିଷ୍ଠା ଦିବସ ଅବସରରେ କାର୍ଯ୍ୟକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି, କିଛି ଲୋକ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ବିଜେଡି ଭାଙ୍ଗିଯିବ ଓ ଆଗାମୀ ଦିନରେ ରହିବ ନାହିଁ ବୋଲି ଗୁଜବ ଚଲାଉଛନ୍ତି। ଏଭଳି ଅପପ୍ରଚାର ପ୍ରତି ଧ୍ୟାନ ନ ଦେବାକୁ ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଜଣାଇଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, ବିଜୁ ବାବୁଙ୍କ ଆଦର୍ଶରେ ବିଜେଡି ସେବା, ସ୍ୱାଭିମାନ ଓ ସଂଗ୍ରାମକୁ ମନ୍ତ୍ର କରି ଲୋକଙ୍କ ସେବା କରିଆସୁଛି। ବିକାଶ ହେଉଛି ବିଜେଡିର ପରିଚୟ ବୋଲି ସେ କହିଥିବା ବେଳେ, ୨୦୦୦ରୁ ୨୦୨୪ ସମୟକୁ ଓଡ଼ିଶା ବିକାଶ ଇତିହାସର ‘ସୁବର୍ଣ୍ଣ ଅଧ୍ୟାୟ’ ଭାବେ ଅଭିହିତ କରିଛନ୍ତି।

ତାଙ୍କ କଥାନୁସାରେ, ଏହି ସମୟସୀମାରେ ଓଡ଼ିଶାକୁ ଏକ ନୂଆ ପରିଚୟ ମିଳିଛି। ମାଆମାନଙ୍କୁ ସ୍ୱାବଲମ୍ବୀ କରାଯାଇଛି, ଚାଷୀଙ୍କ ଆୟ ବୃଦ୍ଧି ପାଇଛି ଏବଂ ବିଏସକେୱାଇ ଭଳି ସ୍ୱାସ୍ଥ୍ୟ ସେବା ଯୋଜନା ମାଧ୍ୟମରେ ସାଧାରଣ ଲୋକ ଲାଭାନ୍ୱିତ ହୋଇଛନ୍ତି। ରାଜ୍ୟର ଅର୍ଥନୀତିକୁ ମଜବୁତ କରିବା ସହ ନିବେଶ ଆଣିବା ଓ ଯୁବପିଢିଙ୍କୁ ରୋଜଗାର ଦେବାରେ ବିଜେଡି ସରକାର ସଫଳ ହୋଇଛି ବୋଲି ସେ ଦାବି କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ଚାଲିଥିବା ‘ଡବଲ ଇଞ୍ଜିନ୍’ ସରକାରକୁ ଲକ୍ଷ୍ୟ କରି ନବୀନ ପଟ୍ଟନାୟକ କହିଛନ୍ତି, ୧୮ ମାସ ହେଲା ସରକାର ଥିଲେ ମଧ୍ୟ ବିକାଶ ଦୃଶ୍ୟମାନ ନୁହେଁ। ଚାଷୀମାନେ ଲାଭ ପାଉନାହାନ୍ତି, ମଣ୍ଡି ସମୟରେ ଖୋଲୁନାହିଁ ଏବଂ ମାଆମାନେ ହଇରାଣ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଆଇନଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ସେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ରାଜ୍ୟରେ ମହିଳା ଓ ନାବାଳିକାମାନେ ସୁରକ୍ଷିତ ମନେ କରୁନାହାନ୍ତି। ଓଡ଼ିଶାରେ ସରକାର ଥିବା ପରି ଲାଗୁନାହିଁ ବୋଲି ସେ କଟାକ୍ଷ କରିଛନ୍ତି।

ଶେଷରେ ନବୀନ ପଟ୍ଟନାୟକ ସ୍ପଷ୍ଟ କରି କହିଛନ୍ତି ଯେ, ବିଜୁ ଜନତା ଦଳ ଅଟୁଟ ରହିଛି ଏବଂ ଆଗାମୀ ୧୦୦ ବର୍ଷ ଯାଏଁ ଓଡ଼ିଶାର ଲୋକଙ୍କ ସହ ରହି ସେବା କରିଚାଲିବ।