ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପି ସାଂସଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି। ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବୈଜୟନ୍ତ ପଣ୍ଡା ଯୋଗଦେଇଛନ୍ତି।

ସୂଚନା ମିଳିଛି ଯେ, ଆସନ୍ତାକାଲି ହେବାକୁଥିବା ଉପରାଷ୍ଟ୍ରପତି ନିର୍ବାଚନକୁ ନଜରରେ ରଖି ବୈଠକ ଆୟୋଜନ କରାଯାଇଛି। ଏହା ସହିତ, ମୁଖ୍ୟମନ୍ତ୍ରୀ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ରହିବାରୁ ରାଜନୀତିକ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ବିଜେଡି କାହାକୁ ସମର୍ଥନ ଦେବେ, ଏହି ପ୍ରଶ୍ନରେ ସମସ୍ତଙ୍କ ନଜର ରହିଛି।

ସେପ୍ଟେମ୍ବର ୯ରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଜଗଦୀପ ଧନକଡଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦର୍ଶାଇ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦବୀ ଖାଲି ହୋଇଛି। ସମ୍ବିଧାନ ଅନୁଯାୟୀ, ଖାଲି ପଡିଥିବା ଏହି ପଦବୀ ପାଇଁ ତୁରନ୍ତ ନିର୍ବାଚନ ଆବଶ୍ୟକ। ନବନିର୍ବାଚିତ ଉପରାଷ୍ଟ୍ରପତି ପୂର୍ଣ୍ଣ ୫ ବର୍ଷର ଦାୟିତ୍ୱ ପାଳନ କରିବେ।