ମୁମ୍ବାଇ: ମୁମ୍ବାଇ ମହାନଗର ନିଗମ (ବିଏମ୍ସି) ନିର୍ବାଚନରେ ବିଜେପି–ଶିବସେନା (ସିନ୍ଦେ) ନେତୃତ୍ୱାଧୀନ ମହାୟୁତି ମେଣ୍ଟ ବିପୁଳ ବିଜୟ ହାସଲ କରିଛି। ଏହି ଫଳାଫଳ ସହ ୨୮ ବର୍ଷ ଧରି ଚାଲିଆସୁଥିବା ଠାକ୍ରେ ପରିବାରର ଦୁର୍ଗ ମୁମ୍ବାଇରେ ଭାଙ୍ଗିପଡ଼ିଛି।
୨୨୭ଟି ୱାର୍ଡ ଥିବା ବିଏମ୍ସିରେ ବିଜେପି ୯୦ଟି ୱାର୍ଡରେ ବିଜୟୀ ବା ଆଗୁଆ ରହିଛି। ୨୦୧୭ ମସିହାରେ ୮୨ଟି ଆସନ ଜିତିଥିବା ବିଜେପି ଏଥର ସେହି ରେକର୍ଡକୁ ଭଙ୍ଗ କରିଛି। ମେଣ୍ଟ ସହଯୋଗୀ ଶିବସେନା (ସିନ୍ଦେ) ୨୮ଟି ଆସନରେ ଆଗୁଆ ରହିଥିବାବେଳେ, ଦୁଇ ଦଳ ମିଶି ୧୧୪ର ‘ମ୍ୟାଜିକ୍ ନମ୍ବର’ ସହଜରେ ଅତିକ୍ରମ କରିଛନ୍ତି। ଏହା ସହ ବହୁ ବର୍ଷ ପରେ ମୁମ୍ବାଇକୁ ବିଜେପି–ଶିବସେନା (ସିନ୍ଦେ) ଶାସନାଧୀନ ଜଣେ ମେୟର ମିଳିବା ନିଶ୍ଚିତ ହୋଇଛି।
ଅନ୍ୟପଟେ ଶିବସେନା (ୟୁବିଟି) ମେଣ୍ଟ ୬୮ ଆସନ ଛୁଇଁବା ପାଇଁ ସଂଘର୍ଷ କରୁଛି। ୟୁବିଟି ସେନା ୫୮ଟି ଆସନରେ ଆଗୁଆ ଥିବାବେଳେ, ଏମ୍ଏନଏସ ମାତ୍ର ୯ଟି ଓ ଏନ୍ସିପି (ଏସ୍ପି) କେବଳ ଗୋଟିଏ ଆସନରେ ସୀମିତ ରହିଛି। କଂଗ୍ରେସ ମଧ୍ୟ ୧୦ଟି ୱାର୍ଡରେ ଆଗୁଆ ରହିଛି।
ମୁମ୍ବାଇ ପାରେ ମଧ୍ୟ ପ୍ରଭାବ
ଏହି ରାଜନୈତିକ ପରିବର୍ତ୍ତନ କେବଳ ମୁମ୍ବାଇରେ ସୀମିତ ରହିନାହିଁ। ପୁଣେ, ପିମ୍ପରି–ଛିଞ୍ଚୱାଡ଼, କୋହ୍ଲାପୁର, ସତରା, ସୋଲାପୁର ଓ ସାଙ୍ଗଲି ପୌର ନିଗମରେ ମଧ୍ୟ ବିଜେପି–ଶିବସେନା ମେଣ୍ଟ ଆଗୁଆ ରହିଛି। ପୁଣେରେ ବିଜେପି ୮୦ଟି ଆସନରେ ଆଗୁଆ ଥିବାବେଳେ, ଅଜିତ ପାୱାର ନେତୃତ୍ୱାଧୀନ ଏନ୍ସିପି ୬ଟି ଓ ଏନ୍ସିପି (ଏସ୍ପି) ୩ଟି ଆସନରେ ଆଗୁଆ ରହିଛି।
ରାଜ୍ୟସ୍ତରୀୟ ଚିତ୍ର
ମହାରାଷ୍ଟ୍ରର ୨୯ଟି ପୌର ନିଗମର ୮୯୨ ୱାର୍ଡର ୨,୮୬୯ଟି ଆସନରେ ଭୋଟଗ୍ରହଣ ହୋଇଥିଲା। ଫଳାଫଳରେ ବିଜେପି ୧,୨୧୨ଟି ଆସନରେ ଆଗୁଆ ରହି ସର୍ବାଧିକ ସଫଳତା ହାସଲ କରିଛି। ଶିବସେନା ୩୦୫, କଂଗ୍ରେସ ୨୪୦, ଶିବସେନା (ୟୁବିଟି) ୧୩୯ ଓ ଏନ୍ସିପି (ଅଜିତ ପାୱାର) ୧୨୭ ଆସନରେ ଆଗୁଆ ରହିଛି। ମୋଟ ୧୫,୯୩୧ ପ୍ରାର୍ଥୀ ମଇଦାନରେ ଥିଲେ। ରାଜ୍ୟର ସାର୍ବିକ ମତଦାନ ହାର ୫୪.୭୭ ପ୍ରତିଶତ ରହିଛି। ଇଚାଲକରଞ୍ଜି ପୌର ନିଗମରେ ସର୍ବାଧିକ ୬୯.୭୬ ପ୍ରତିଶତ ମତଦାନ ରେକର୍ଡ ହୋଇଥିବାବେଳେ, ମୁମ୍ବାଇରେ ୫୨.୯୪ ପ୍ରତିଶତ ମତଦାନ ହୋଇଛି।
‘ବିଏମ୍ସି ବିଜୟର ସ୍ୱାଦ ଭିନ୍ନ’ – ଫଡ଼ନାବିସ
ବିଜୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଜନତାଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ବିକାଶମୁଖୀ ରାଜନୀତି ଉପରେ ଲୋକଙ୍କ ବିଶ୍ୱାସ ଏହି ଫଳାଫଳରେ ପ୍ରତିଫଳିତ ହୋଇଛି। ସେ କହିଛନ୍ତି, “ସମସ୍ତ ବିଜୟ ମଧ୍ୟରୁ ବିଏମ୍ସି ବିଜୟର ସ୍ୱାଦ ସବୁଠାରୁ ଭିନ୍ନ।” ମହାୟୁତିକୁ ରାଜ୍ୟରେ ୨୫ଜଣ ମେୟର ମିଳିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।





