ମୁମ୍ବାଇ: ମହାରାଷ୍ଟ୍ରରେ ଜାନୁଆରି ୧୫ରେ ହେବାକୁ ଥିବା ପୌର ନିର୍ବାଚନ ପୂର୍ବରୁ ଶାସକ ମହାୟୁତି (ବିଜେପି–ଶିବସେନା–ଏନସିପି ମେଣ୍ଟ) ଏକ ଗୁରୁତ୍ୱପୂର୍ଣ୍ଣ ଆଗ୍ରଗତି ହାସଲ କରିଛି। ବିଭିନ୍ନ ପୌର ନିଗମରେ ମୋଟ ୬୮ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ, ଏହାକୁ ନେଇ ରାଜ୍ୟର ବିରୋଧୀ ଦଳଗୁଡ଼ିକ ଗୁରୁତର ଅଭିଯୋଗ ଆଣିଛନ୍ତି।
ନିର୍ଦ୍ୱନ୍ଦ୍ୱରେ ଜିତିଥିବା ୬୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪୪ ଜଣ ବିଜେପିର, ୨୨ ଜଣ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ)ର ଏବଂ ୨ ଜଣ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଅଜିତ ପାୱାର ଗୋଷ୍ଠୀ)ର ଥିବା ସୂଚନା ମିଳିଛି। ଏହି ସମସ୍ତ ଆସନରେ ବିରୋଧୀ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ଶାସକ ମେଣ୍ଟର ପ୍ରାର୍ଥୀମାନେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି।
ସବୁଠାରୁ ଅଧିକ ନିର୍ଦ୍ୱନ୍ଦ୍ୱ ବିଜୟ କଲ୍ୟାଣ–ଡୋମ୍ବିଭାଲି ନଗର ନିଗମରେ ଦେଖିବାକୁ ମିଳିଛି, ଯେଉଁଠାରେ ବିଜେପିର ୧୫ ଜଣ ଏବଂ ଶିବସେନାର ୭ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ଜିତିଛନ୍ତି। ଏହା ସହ ପୁଣେ, ପିମ୍ପରି–ଚିଞ୍ଚୱାଡ, ପାନଭେଲ, ଭିୱାଣ୍ଡି, ଧୂଲେ, ଜଳଗାଁ ଏବଂ ଅହଲ୍ୟାନଗର ନଗର ନିଗମରେ ମଧ୍ୟ ଏଭଳି ଘଟଣା ଘଟିଛି।
ଏହି ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ଶାସକ ମହାୟୁତି ଉପରେ କ୍ଷମତା ଓ ଅର୍ଥବଳର ଅପବ୍ୟବହାର ଅଭିଯୋଗ ଆଣିଛନ୍ତି। ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ), କଂଗ୍ରେସ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ନିର୍ବାଚନ କମିସନଙ୍କ ନିକଟରେ ଆଧିକାରିକ ଅଭିଯୋଗ ଦାଖଲ କରିଛନ୍ତି। ଏମଏନଏସ ସମସ୍ତ ୬୮ ୱାର୍ଡରେ ପୁନଃନିର୍ବାଚନ ଦାବି କରିବା ସହ କୋର୍ଟକୁ ଯିବା ପାଇଁ ପ୍ରସ୍ତୁତି ଚାଲିଥିବା କହିଛି।
ମହାରାଷ୍ଟ୍ର କଂଗ୍ରେସ ସଭାପତି ହର୍ଷବର୍ଦ୍ଧନ ସପକାଲ ଅଭିଯୋଗ କରିଛନ୍ତି ଯେ, ସରକାରୀ କଳ ଏବଂ ଟଙ୍କାର ଅପବ୍ୟବହାର କରି ମହାୟୁତି ଏହି ଆସନଗୁଡ଼ିକୁ ନିର୍ଦ୍ୱନ୍ଦ୍ୱରେ ଜିତିଛି। ମୁମ୍ବାଇ କଂଗ୍ରେସ ମୁଖପାତ୍ର ମୋହସିନ ହାଇଦର ମଧ୍ୟ ଦାବି କରିଛନ୍ତି ଯେ ପ୍ରାର୍ଥୀମାନଙ୍କୁ ଭୟଭୀତ କରାଯାଇ ନାମାଙ୍କନ ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯାଇଛି।
ଏହାପରେ ମହାୟୁତି ପକ୍ଷରୁ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରାଯାଇଛି। ବିଜେପି ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ନେତାମାନେ କହିଛନ୍ତି ଯେ ନିର୍ଦ୍ୱନ୍ଦ୍ୱ ବିଜୟ ୱାର୍ଡ ସ୍ତରରେ ସ୍ଥାନୀୟ ରାଜନୈତିକ ସମୀକରଣର ଫଳାଫଳ ଓ କାହାକୁ ଭୟଭୀତ କରାଯାଇନାହିଁ।
ଉଲ୍ଲେଖନୀୟ ଯେ, ବୃହନ୍ମୁମ୍ବାଇ ନଗର ନିଗମ (ବିଏମ୍ସି)ରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ୱନ୍ଦ୍ୱ ନିର୍ବାଚନର ସୂଚନା ମିଳିନାହିଁ ଏବଂ ସମସ୍ତ ପ୍ରମୁଖ ଦଳ ମଧ୍ୟରେ କଡ଼ା ପ୍ରତିସ୍ପର୍ଧା ଜାରି ରହିଛି।





