ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ ସତ୍ର ଚାଲିଥିବା ବେଳେ ଲୋକସଭାରେ ସୋମବାର ଭାରି ହଙ୍ଗାମା ଦେଖାଯାଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୨୦୨୦ର ଗଲୱାନ ସଂଘର୍ଷ ଓ ଚୀନ୍ ପ୍ରସଙ୍ଗ ଉଠାଇବାକୁ ଜିଦ୍ ଧରିବାରୁ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଏହା ପରେ ଗୃହକୁ ଦୁଇଥର ମୁଲତବୀ କରିବାକୁ ପଡ଼ିଥିଲା।
ବଜେଟ୍ ଉପରେ ଆଲୋଚନା ଆରମ୍ଭ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ କହିବା ପାଇଁ ଅନୁମତି ଦେବାକୁ ବିରୋଧୀ ଦଳ ଦାବି କରିଥିଲେ। କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ କହିଥିଲେ ଯେ, ବିରୋଧୀ ଦଳ ନେତା ଭାବେ ରାହୁଲଙ୍କୁ ପ୍ରଥମେ ମତ ପ୍ରକାଶ କରିବାର ସୁଯୋଗ ମିଳିବା ଉଚିତ। ଅଧ୍ୟକ୍ଷ ପକ୍ଷରୁ କୁହାଯାଇଥିଲା ଯେ, ବଜେଟ୍ ଉପରେ କହିବାକୁ ଚାହିଲେ ରାହୁଲଙ୍କୁ ସୁଯୋଗ ଦିଆଯିବ।
କିନ୍ତୁ ରାହୁଲ ଗାନ୍ଧୀ ବଜେଟ୍ ଚର୍ଚ୍ଚା ପରିବର୍ତ୍ତେ ଗଲୱାନ ଘଟଣା ଓ ପୂର୍ବ ସେନାପ୍ରମୁଖଙ୍କ ଅପ୍ରକାଶିତ ଆତ୍ମଜୀବନୀ ସମ୍ପର୍କିତ ବିଷୟ ଉଠାଇବାକୁ ଅଡ଼ି ରହିଥିଲେ। ସେ କହିଥିଲେ ଯେ, ପୂର୍ବରୁ ବାଚସ୍ପତିଙ୍କ ସହ ବୈଠକରେ ବଜେଟ୍ ଆଲୋଚନା ପୂର୍ବରୁ କିଛି ବିଷୟ ଉଠାଇବାକୁ ଅନୁମତି ଦେବାର ପ୍ରତିଶ୍ରୁତି ମିଳିଥିଲା।
ତେବେ ଅଧ୍ୟକ୍ଷ ପକ୍ଷରୁ କୁହାଯାଇଥିଲା ଯେ, ଏପରି କୌଣସି ପ୍ରତିଶ୍ରୁତି ସମ୍ପର୍କରେ ସେମାନେ ଅବଗତ ନୁହନ୍ତି ଓ ପୂର୍ବ ନୋଟିସ ବିନା ଏପରି ପ୍ରସଙ୍ଗ ଉଠାଇବାକୁ ଅନୁମତି ଦିଆଯିବ ନାହିଁ। ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ ମଧ୍ୟ କହିଥିଲେ ଯେ, ଏପରି କୌଣସି ଚୁକ୍ତି ହୋଇନଥିଲା। ଉଭୟ ପକ୍ଷ ନିଜ ମତରେ ଅଡ଼ି ରହିବାରୁ ଶେଷରେ ଗୃହକୁ ଦିନ ପାଇଁ ମୁଲତବୀ କରାଯାଇଥିଲା।





