ଭୁବନେଶ୍ବର: ରାଜ୍ୟ ପ୍ରଶାସନକୁ ଅଧିକ ଦକ୍ଷ, ଦାୟିତ୍ୱଶୀଳ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ କଠୋର ନିର୍ଦ୍ଦେଶ ଜାରି କରିଛନ୍ତି। ନୂଆ ବର୍ଷ ଅବସରରେ ସେ ସ୍ପଷ୍ଟ କରିଛନ୍ତି ଯେ, ଦୁର୍ନୀତିଗ୍ରସ୍ତ, ଅପାରଗ ଓ ଦାୟିତ୍ୱହୀନ ଅଧିକାରୀ-କର୍ମଚାରୀଙ୍କ ପାଇଁ ପ୍ରଶାସନରେ କୌଣସି ସ୍ଥାନ ନାହିଁ।
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏମିତି ଅଧିକାରୀମାନଙ୍କୁ ଚିହ୍ନଟ କରି ସମ୍ବିଧାନର ଧାରା ୩୧୧ ଏବଂ ଓଡ଼ିଶା ସର୍ଭିସେସ୍ ରୁଲ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆବଶ୍ୟକ ହେଲେ ବାଧ୍ୟତାମୂଳକ ସେବାନିବୃତ୍ତି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମସ୍ତ ସରକାରୀ ପଦ ପୂରଣ କରିବାକୁ ମୁଖ୍ୟ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି।
ରାଜ୍ୟର ଦୀର୍ଘମ୍ୟାଦୀ ଉନ୍ନୟନ ଲକ୍ଷ୍ୟକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ୧୫-ଦଫା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟ ଅନୁଯାୟୀ, ୨୦୩୬ ସୁଦ୍ଧା ୫୦୦ ବିଲିୟନ୍ ଆମେରିକୀୟ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡ଼ିଶା ଗଠନ ଓ ରାଜ୍ୟକୁ ଦେଶର ଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ମଧ୍ୟରେ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ପାଇଁ ଜ୍ଞାନ-ଆଧାରିତ ଶିଳ୍ପ ଓ ସେବା କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦେବାକୁ କୁହାଯାଇଛି।
ନିର୍ଦ୍ଦେଶାବଳୀରେ ସବୁ ସରକାରୀ କାର୍ଯ୍ୟ, ବିଶେଷକରି ନୋଟିସ୍, ବିଜ୍ଞପ୍ତି ଓ ପତ୍ରାଚାର କେବଳ ଓଡ଼ିଆ ଭାଷାରେ କରିବାକୁ ଜୋର୍ ଦିଆଯାଇଛି। ସଚିବାଳୟଠାରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ଏହାକୁ କଡାକଡିରେ ପାଳନ କରିବାକୁ କୁହାଯାଇଥିବାବେଳେ, ଅନୁସରଣ ନ କରିଲେ ସମ୍ପୃକ୍ତଙ୍କୁ କୈଫିୟତ ତଲବ କରାଯିବ ବୋଲି ସଚେତନ କରାଯାଇଛି।
ଲୋକଙ୍କ ଅଭିଯୋଗ ଶୁଣାଣିକୁ ସର୍ବାଧିକ ଗୁରୁତ୍ୱ ଦେଇ ସଚିବାଳୟରୁ ଆରମ୍ଭ କରି ତହସିଲ ଓ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ତୁରନ୍ତ ସମାଧାନମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଶୁଣାଣି ପାଇଁ ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର ଓ ନିୟମିତ କ୍ଷେତ୍ର ପରିଦର୍ଶନକୁ ମଧ୍ୟ ନିର୍ଦ୍ଦେଶାବଳୀରେ ସାମିଲ କରାଯାଇଛି। କ୍ଷେତ୍ର ପରିଦର୍ଶନର ରିପୋର୍ଟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନର ଆଧାର ହେବ ବୋଲି ସୂଚନା ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ୧୫-ସୂତ୍ରୀ ଏହି ନିର୍ଦ୍ଦେଶାବଳୀ ପ୍ରଶାସନିକ ମହଳରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ, ଏହା ରାଜ୍ୟର ଶାସନ-ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ପାରଦର୍ଶୀ କରିବ ବୋଲି ଆଶା କରାଯାଉଛି।





